ସିବିଆଇ ମୁଖ୍ୟାଳୟରେ ବିଳମ୍ବିତ ରାତ୍ରୀରେ ଜେରା ପରେ ଘର ରନ୍ଧା ଭୋଜନ ଖାଇଲେ ଚିଦମ୍ବରମ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହେବା ପରେ ଗୁରୁବାର ଦିନ ୫ ଦିନ ସକାଶ ସିବିଆଇ ହାଜତକୁ ଯାଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ଙ୍କୁ ମଧ୍ୟରାତ୍ରୀ ଯାଏଁ କେନ୍ଦ୍ରୀୟ ତଦନ୍ତ ଏଜେନ୍‌ସିର ମୁଖ୍ୟାଳୟରେ ଜେରା କରାଯାଇଥିଲା।

ଅଦାଲତଙ୍କ ଆଦେଶ ଅନୁସାରେ ଚିଦମ୍ବରମ୍‌ଙ୍କୁ ସିବିଆଇ ମୁଖ୍ୟାଳୟକୁ ଅଣାଯାଇ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚା ଦିଆଯାଇଥିଲା। ତା’ ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ଆଏନ୍‌ଏକ୍ସ୍‍ ମିଡିଆ ମାମଲାରେ ତାଙ୍କ ପୁଅଙ୍କ ମାଲିକାନାରେ ଥିବା ସେଲ୍‌ କମ୍ପାନିଗୁଡ଼ିକୁ ଏଫ୍‌ଆଇପିବି ମଞ୍ଜୁର କରାଯିବା ବିଷୟରେ ଜେରା କରିଥିଲେ।

Image Source: Inida Today

କିନ୍ତୁ, ଚିଦମ୍ବରମ୍‌ କହିଲେ ଯେ ଏ ସଂକ୍ରାନ୍ତରେ ଘଟିଥିବା କଥା ସବୁ ସେ ମନେପକାଇ ପାରୁ ନାହାନ୍ତି। ସେ ସମୟରେ କ’ଣ ନୀତି ଥିଲା ତାହା ଜାଣିବାକୁ ରୁଲ୍‌ବୁକ୍‌ ଆଣିବାକୁ କହିଥିଲେ।

ତା’ପରେ ଚିଦମ୍ବରମ୍‌ଙ୍କୁ ରୁଲ୍‌ବୁକ୍‌ ଦିଆଯାଇଥିଲା। ତାହାକୁ ସେ ୪୫ ମିନିଟ ପଢ଼ିବା ପରେ ଏ ମାମଲାରେ ସିବିଆଇ ଅଧିକାରୀମାନେ ପଚାରିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ।

ସିବିଆଇ ମୁଖ୍ୟାଳୟରେ ପ୍ରଥମ ରାତ୍ରୀ ଯାପନ ନିମନ୍ତେ ଚିଦମ୍ବରମ୍‌ଙ୍କୁ ଘର ରନ୍ଧା ଭୋଜନ ଏବଂ ସଫା ଲୁଗା ଦିଆଯାଇଥିଲା।

ବୁଧବାର ବିଳମ୍ବିତ ରାତ୍ରୀରେ ଗିରଫ କରାଯାଇ ସିବିଆଇ ମୁଖ୍ୟାଳୟକୁ ନିଆଯିବା ପରେ ସିବିଆଇ ଗ୍ରିନ୍‌ହାଉସ୍‌ର ଖାଦ୍ୟ ଖାଇବାକୁ ସେ ମନା କରି ଘର ରନ୍ଧା ଖାଦ୍ୟ ପାଇଁ କହିଥିଲେ।

ଅଦାଲତ ଆଦେଶ ପରେ ହିଁ ଘର ରନ୍ଧା ଭୋଜନ ଦିଆଯାଇ ପାରିବ ବୋଲି ତାଙ୍କୁ କୁହାଯାଇଥିଲା।

ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରିଥିବା ଚିଦମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ଆବେଦନ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରିବେ ଜଷ୍ଟିସ୍‌ ଆର୍‌ ବାନୁମତୀ ଏବଂ ଜଷ୍ଟିସ୍‌ ଏଏସ୍‌ ବୋପାନାଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ।

ସମ୍ବନ୍ଧିତ ଖବର