ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ!:ଧାରା ୩୭୭ର ପୁନର୍ବିଚାର କରିବେ ବୃହତ୍‌ ଖଣ୍ଡପୀଠ

0 207

ନୂଆଦିଲ୍ଲ: ସ୍ୱଇଚ୍ଛାରେ ପାରସ୍ପରିକ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରୁଥିବା ବ୍ୟକ୍ତିମାନେ ସମାଜରେ ଭୟଭୀତ ଅବସ୍ଥାରେ ରହିବା ଉଚିତ୍‌ ନୁହେଁ। ସୁତରାଂ ସମଲିଙ୍ଗୀ ସମ୍ପର୍କକୁ ଅପରାଧର ମାନ୍ୟତା ଦେଇଥିବା ଭାରତୀୟ ପିଙ୍ଗଳ ଆଇନର ଧାରା ୩୭୭ର ସାମ୍ବିଧାନିକ ବୈଧତାର ପୁନର୍ବିଚାର ହେବା ଜରୁରୀ ବୋଲି ଆଜି ମାନ୍ୟବର ସୁପ୍ରିମକୋର୍ଟ ଟିପ୍ପଣୀ କରିଛନ୍ତି। ଏପରିକି ୨୦୦୯ ମସିହାରେ ଏପରି ସମ୍ପର୍କକୁ ଅପରାଧମୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ଏକ ଆଦେଶକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିବା ବେଳେ ଆଜି ସେ ସମ୍ପର୍କିତ ଅନ୍ୟ ଏକ ମାମଲାରେ ସଂପୃକ୍ତ ଧାରାର ପୁନର୍ବିଚାର ପାଇଁ ଏକ ବୃହତ୍‌ ଖଣ୍ଡପୀଠକୁ ପଠାଇଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କ କ୍ଷେତ୍ରରେ ତାହା ସହ ଜଡ଼ିତ ବ୍ୟକ୍ତିର ଗୋପନୀୟତା, ସମାନତା, ମାନମର୍ଯ୍ୟାଦା ଏବଂ ଅଭିବ୍ୟକ୍ତି ଆଦିର ପ୍ରଶ୍ନ ଉଠାଇ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଏଏମ୍‌ ଖାନ୍‌ଓ୍ଵିଲକର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ତିନିଜଣିଆ ଖଣ୍ଡପୀଠ ୩୭୭ ଧାରାର ଆଉ ଥରେ ପୁଙ୍ଖାନୁପୁଙ୍ଖ ତର୍ଜମା ହେବା ଜରୁରୀ ବୋଲି କହିଛନ୍ତି।
ସୂଚନାନୁଯାୟୀ, ସମଲିଙ୍ଗୀ ମହିଳା, ସମଲିଙ୍ଗୀ ପୁରୁଷ, ଉଭୟଲିଙ୍ଗୀ ଏବଂ ତୃତୀୟଲିଙ୍ଗ(ଏଲ୍‌ଜିବିଟି) ସମ୍ପ୍ରଦାୟର ନବତେଜ ଜୋହର, ସୁନୀଲ ମେବରା, ଅମନ୍‌ ନାଥ, ଋତୁ ଡାଲମିଆ ଏବଂ ଆୟେଶା କପୁର ଆଦି ପାଞ୍ଚ ଜଣ ଆବେଦନକାରୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଜୀବନ କାଟୁଥିବା ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନିଜ ସ୍ୱାଭାବିକ ପସନ୍ଦ ମୁତାବକ ଯୌନସାଥୀ ଚୟନ ଯୋଗୁଁ ପୁଲିସ ସେମାନଙ୍କୁ ହଇରାଣ କରୁଥିବା ନେଇ ସେମାନେ ଆବେଦନରେ ଦର୍ଶାଇଥିଲେ। ନିଜ ଯୌନସାଥୀ ପସନ୍ଦ କରିବାଟା ବ୍ୟକ୍ତିର ମୌଳିକ ଅଧିକାର ଅନ୍ତର୍ଭୁକ୍ତ ବୋଲି ସେମାନେ ଦାବି କରିଛନ୍ତି। ଏପରିକି ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କ ସ୍ଥାପନ କରୁଥିବା ପ୍ରାପ୍ତବୟସ୍କମାନଙ୍କୁ ଦଣ୍ଡିତ କରୁଥିବା ଧାରା ୩୭୭କୁ ଅସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଆବେଦନକାରୀମାନେ ନିବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ସମ୍ପର୍କକୁ ଅପରାଧଭୁକ୍ତ କରୁଥିବା ୩୭୭ ଧାରା ପରି ଔପନିବେଶିକ ଆଇନର ପୁଣି ଥରେ ତର୍ଜ୍ଜମା ହେବା ଜରୁରୀ ବୋଲି କହିଛନ୍ତି। କାରଣ ସମାଜରେ ନିଜ ଇଚ୍ଛାରେ ଯୌନସାଥୀ ପସନ୍ଦ କରିବା ବ୍ୟକ୍ତିମାନେ ଆଦୌ ସେଥିପାଇଁ ଭୟ କରିବା ଉଚିତ ନୁହେଁ ବୋଲି ମାନ୍ୟବର ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ପୂର୍ବରୁ ଏ ସଂକ୍ରାନ୍ତ ଏକ ମାମଲା(ସୁରେଶ କୁମାର କୌଶଲ)ରେ ଏଭଳି କାର୍ଯ୍ୟକୁ ଅପରାଧ ବୋଲି ବିବେଚିତ କରିବା ଲାଗି ସୁପ୍ରିମକୋର୍ଟ ଦେଇଥିବା ରାୟର ମଧ୍ୟ ପୁନର୍ବିଚାର କରିବାର ସମୟ ଆସିଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଥି ସହିତ ଏ ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ କ’ଣ ରହିଛି ତାହା ଜଣାଇବାକୁ ଅଦାଲତ ନୋଟିସ ଜାରି କରିଛନ୍ତି।
ଉଲ୍ଲେଖ ଥାଉ କି, ଗତ ବର୍ଷ ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମକୋର୍ଟ ବ୍ୟକ୍ତିର ଗୋପନୀୟତାକୁ ମଧ୍ୟ ମୌଳିକ ଅଧିକାର ବୋଲି ସ୍ପଷ୍ଟ କରିବା ଅବସରରେ ଧାରା ୩୭୭କୁ ସମାଲୋଚନା କରିଥିଲେ। ଏପରିକି ଜଣେ ବ୍ୟକ୍ତିର ଯୌନସୁଖ ଦୁର୍ବଳତା ନିଜର ଗୋପନୀୟତାର ଅଂଶବିଶେଷ ହୋଇଥିବାରୁ ତାହା ମଧ୍ୟ ମୌଳିକ ଅଧିକାରର ଏକ ଅଙ୍ଗ ବୋଲି ପରୋକ୍ଷରେ ବିବେଚନା କରାଯାଇଥିଲା। ସେହିପରି ନିଜର ଯୌନସାଥୀ ପସନ୍ଦ କରିଥିବା ବ୍ୟକ୍ତିଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବା ମଧ୍ୟ ବ୍ୟକ୍ତିଗତ ଆତ୍ମମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ଖଣ୍ଡପୀଠ ଟିପ୍ପଣୀ କରିଥିଲେ। ତାହା ପର ଠାରୁ ସମଲିଙ୍ଗୀମାନେ ନିଜ ଅଧିକାର ଫେରି ପାଇବାକୁ ଆଶାବାଦୀ ରହିଛନ୍ତି।
ଧାରା ୩୭୭ କ’ଣ
ଭାରତୀୟ ପିଙ୍ଗଳ ଆଇନରେ ୧୮୬୨ ମସିହାରେ ଅନ୍ତର୍ଭୁକ୍ତ ହୋଇଥିବା ଏହି ୩୭୭ ଧାରାଟି ଜଣଙ୍କର ଅପ୍ରାକୃତିକ ଅପମାନ ଆଦିକୁ ସଂଜ୍ଞାକୃତ କରୁଛି। ଏହି ଧାରା ଅନୁଯାୟୀ, ଯେ କେହି ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ କୌଣସି ପୁରୁଷ, ମହିଳା କିମ୍ବା ପଶୁ ସହିତ ଅପ୍ରାକୃତିକ ଯୌନକ୍ରିୟା କଲେ ସେ ସେଥି ପାଇଁ ଦଣ୍ଡିତ ହେବେ। ଏପରିକି ଏଭଳି ଅପରାଧ ପାଇଁ ଦୋଷୀକୁ ଜୀବନ ତମାମ କିମ୍ବା ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ସହ ଜରିମାନା ମଧ୍ୟ ଦେବାକୁ ପଡ଼ିବ।
ଦିଲ୍ଲୀ ହାଇକୋର୍ଟଙ୍କ ରାୟ
ସମଲିଙ୍ଗୀ ଅଧିକାର ପାଇଁ ଲଢ଼େଇ ଜାରି ରଖିଥିବା ଦିଲ୍ଲୀ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନାଜ୍‌ ଫାଉଣ୍ଡେସନ୍‌’ ପକ୍ଷରୁ ୨୦୦୯ ଜୁଲାଇ ୩ରେ ଦିଲ୍ଲୀ ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ସେଥିରେ ଜଣେ ନାଗରିକକୁ ସମ୍ବିଧାନ ପ୍ରଦାନ କରିଥିବା ମୌଳିକ ଅଧିକାର ସମେତ ସ୍ୱାଧୀନତା ଓ ସମାନତା ଆଦି ଅଧିକାରଗୁଡ଼ିକ ଧାରା ୩୭୭ ଦ୍ୱାରା କ୍ଷୁଣ୍ଣ ହେଉଛି ବୋଲି ଦର୍ଶାଯାଇଥିଲା। ଏହି ଧାରା ବଳରେ ସହମତି ଭିତ୍ତିକ ଯୌନକାର୍ଯ୍ୟକୁ ଅପରାଧ ଭାବେ ବିବେଚନା କରାଯାଉଥିବାରୁ ଏହା ସମ୍ବିଧାନର ଧାରା ୨୧(ଜୀବନ ଓ ବ୍ୟକ୍ତିଗତ ସୁରକ୍ଷା ଅଧିକାର), ଧାରା ୧୪(ଆଇନ ଆଖିରେ ସମସ୍ତେ ସମାନ ଏବଂ ଧାରା ୧୫(ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ଜନ୍ମସ୍ଥାନ ନିର୍ବିଶେଷରେ ପାତରଅନ୍ତର ନକରିବା)ର ଉଲ୍ଲଂଘନ କରୁଛି ବୋଲି ଆବେଦନରେ କୁହାଯାଇଥିଲା। ଏହାକୁ ବିଚାର କରି ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ୩୭୭ ଧାରାକୁ ଅସାମ୍ବିଧାନିକ ବୋଲି ସେତେବେଳେ କହିଥିଲେ।
ସୁପ୍ରିମ୍‌ କୋର୍ଟରେ ଖାରଜ
ଅପରପକ୍ଷେ, ୨୦୧୩ ଡିସେମ୍ବରରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ସେହି ରାୟକୁ ଖାରଜ କରି ୩୭୭ ଧାରା ଯୁକ୍ତିଯୁକ୍ତ ଏବଂ ସାମ୍ବିଧାନିକ ବୋଲି ଶୁଣାଣି କରିଥିଲେ। ବିଗତ ୧୫୦ ବର୍ଷରୁ ଅଧିକ ସମୟ ଭିତରେ ମାତ୍ର ୨୦୦ରୁ କମ୍‌ ବ୍ୟକ୍ତି ଏହି ଧାରା ଦ୍ୱାରା ଦଣ୍ଡିତ ହୋଇଛନ୍ତି। ଏଥି ସହିତ ଦେଶରେ ଏପରି ସମଲିଙ୍ଗୀଙ୍କ ପରିମାଣ ମୋଟ ଜନସଂଖ୍ୟାର ଅତି ନଗଣ୍ୟ ଅଂଶ ହୋଇଥିବା ତଥ୍ୟକୁ ଦିଲ୍ଲୀ ହାଇକୋର୍ଟ ବିଚାରକୁ ନନେଇ ଏପରି ଏକପାଖିଆ ଭାବେ ରାୟ ଦେଇଥିଲେ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଟିପ୍ପଣୀ କରିଥିଲେ। ଏଥି ସହିତ ସମଲିଙ୍ଗୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ବ୍ୟବସ୍ଥାପକ ସଭାକୁ କ୍ଷମତା ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.