ତିହାର ଜେଲ୍‌ରେ ରହିବା ପାଇଁ ଛୋଟମୋଟ ଅପରାଧ କରିବାରେ ଲାଗିଛନ୍ତି ରାସ୍ତା କଡ଼ରେ ରହୁଥିବା ଲୋକେ, ବାଧ୍ୟ କରୁଛି ଶୀତ

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ତିହାର ଜେଲ୍‌ ସବୁଠାରୁ ସୁରକ୍ଷିତ ହୋଇଥିବା ବେଳେ ଭାରତର ସବୁଠାରୁ ବଡ଼ ବଡ଼ ଅପରାଧିମାନଙ୍କୁ ଏଠାରେ ବନ୍ଦୀ କରି ରଖା ଯାଇଥାଏ । ଜେଲ୍‌ରେ ଥିବା ବ୍ୟବସ୍ଥା ପାଇଁ କେହି ସେଠାକୁ ଯିବା ପାଇଁ ରାଜି ହେଉ ନ ଥିବା ବେଳେ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ତିହାର ଜେଲ୍‌ ଯିବା ପାଇଁ ଅପରାଧ କରିବାକୁ ପଛାଉ ନାହାନ୍ତି । ଦିଲ୍ଲୀରେ ହେଉଥିବା ହାଡ଼ଭଙ୍ଗା ଶୀତରୁ ନିଜକୁ ବଞ୍ଚାଇବା ପାଇଁ ବାସହରା ଲୋକମାନେ ଛୋଟ ମୋଟ ଅପରାଧ କରୁଥିବା ଜଣାପଡ଼ିଛି । ତିହାର ଜେଲ୍‌ରେ ୧୦,୦୦୦ ଅପରାଧି ରହିବାର ବ୍ୟବସ୍ଥା ଥିବା ବେଳେ ସୋମବାର ଜେଲରେ ଅପରାଧିଙ୍କ ସଂଖ୍ୟା ୧୬ହଜାରରେ ପହଞ୍ଚିଥିବା ଜଣାପଡ଼ିଛି ।

indiatimes.com

ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ବାସହରା ଲୋକ ନିଜ ପାଖରେ ଛୁରୀ ରଖିବା ସହ ଛୋଟ ମୋଟ ଚୋରି କରୁଛନ୍ତି । ଖାସ୍‌ କରି ପୁଲିସ ଥିବା ସ୍ଥାନରେ ସେମାନେ ଜାଣି ଶୁଣି ଝଗଡ଼ା କରିବା ସହ ଗିରଫ ହେବା ଭଳି କାମ କରୁଛନ୍ତି । କିଛି ଦିନ ହେବ ଦିଲ୍ଲୀର ପାରଦ ଖସିଥିବା ବେଳେ ରାସ୍ତା କଡ଼ରେ ରହୁଥିବା ଲୋକମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ସପ୍ତାହରେ ଦିଲ୍ଲୀରେ ୨.୬ଡିଗ୍ରି ସେଲ୍‌ସିୟସ ଥିବା ବେଳେ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ିଥିଲା । ଏଭଳି ପରିସ୍ଥିତିରେ ବାସହରା ଲୋକମାନେ ନିଜକୁ ବଞ୍ଚାଇବା ପାଇଁ ଏଭଳି ବାଟ ଆପଣାଇଥିବା ଦେଖାଯାଇଛି । ଯାହା ଫଳରେ ତିହାର ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର