ଗିରଫ ପୂର୍ବରୁ ହନିପ୍ରୀତଙ୍କ ସହିତ ୫ଦିନ ସମ୍ପର୍କରେ ଥିଲେ ହରିୟାଣା ପୁଲିସ

ଚଣ୍ଡିଗଡ଼: ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ପାଳିତ କନ୍ୟା ହନିପ୍ରୀତ ଇନସାନ୍‌ଙ୍କୁ ହରିୟାଣା ପୁଲିସ ମଙ୍ଗଳବାର ଗିରଫ କରିଥିଲା। ତେବେ ବୁଧବାର ଖବର ମିଳିଛି ଯେ, ହନିପ୍ରୀତ ଗିରଫ ହେବା ପୂର୍ବରୁ ୫ଦିନ ପର୍ଯ୍ୟନ୍ତ ହରିୟାଣାର ଶୀର୍ଷ ପୁଲିସ ଅଧିକାରୀଙ୍କ ସହିତ ସମ୍ପର୍କରେ ଥିଲେ।

ଏହି ଖବର ପ୍ରଘଟ ହେବା ପରେ ପ୍ରଶ୍ନ ଉଠୁଛି କି, ଯଦି ହନିପ୍ରୀତ ପୁଲିସର ସମ୍ପର୍କରେ ଥିଲେ ତେବେ ତାଙ୍କୁ ପୂର୍ବରୁ କାହିଁକି ଗିରଫ କରାଯାଇ ନଥିଲା ? ଅତ୍ୟନ୍ତ ରହସ୍ୟଜନକ ଭାବେ ଏକ ଜାତୀୟ ଗଣମାଧ୍ୟମରେ ଆସି ହନିପ୍ରୀତ ସାକ୍ଷାତକାର ଆଳରେ ସଫେଇ ଦେବା ପରେ ହରିୟାଣା ପୁଲିସ ତାକୁ ଗିରଫ କରିବା ପାଇଁ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତତ୍ପରତା ପ୍ରକାଶ କଲା ତାକୁ ନେଇ ମଧ୍ୟ ଏବେ ସାଧାରଣରେ ଚର୍ଚ୍ଚା ଚାଲିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହନିପ୍ରୀତ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ନେଇ ତାଙ୍କ ଓକିଲ ପୁଲିସକୁ ସୂଚନା ଦେଇଥିଲେ। ହନିପ୍ରୀତଙ୍କ ସମ୍ପର୍କରେ ପଞ୍ଜାବ ପୁଲିସକୁ ବି ସୂଚନା ଥିଲା, ହେଲେ ପଞ୍ଜାବରେ ହନିପ୍ରୀତଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନଥିବାରୁ ତାଙ୍କୁ ଗିରଫ କରି ପାରି ନଥିଲା।

ହନିପ୍ରୀତ ଚଣ୍ଡିଗଡ଼ରୁ ୨୫କିଲୋମିଟର ଦୁର ପାଟିୟାଲାର ବାନୁର ଅଞ୍ଚଳରେ ଏକ ରିସର୍ଟରେ ରହିଥିଲେ। ସବୁକିଛି ଯୋଜନାବଦ୍ଧ ଭାବେ ଚାଲିଥିଲା। ଡେରା ତରଫରୁ ହନିପ୍ରୀତଙ୍କୁ ଗଣମାଧ୍ୟମ ସହିତ ସାକ୍ଷାତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହନିପ୍ରୀତ ସେପ୍ଟେମ୍ବର ୨୬ ତାରିଖରେ ଦିଲ୍ଲୀ ହାଇକୋର୍ଟ ବାହାରେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିଲେ।

ଅନ୍ୟପକ୍ଷରେ ଆଉ ଏକ କଥା ଉଠିଛି ଯେ, ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ ଦୁଇ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ୨୦ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। ଏହି ଶୁଣାଶି ପରେ ସିରସାରେ ଦଙ୍ଗା ସୃଷ୍ଟି ହୋଇଥିଲା। ଯେଉଁଥିରେ ୩୦ରୁ ଊର୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ହନିପ୍ରୀତଙ୍କୁ ଗିରଫ କରିବା ସମୟରେ କାହିଁକି କେହି ସେଭଳି ପରିସ୍ଥିତି ସୃଷ୍ଟି କଲେ ନାହିଁ ବୋଲି ବି ପ୍ରଶ୍ନ ଉଠିଛି ?

 

ସମ୍ବନ୍ଧିତ ଖବର