ଜେଲ୍‌ରେ ହନିପ୍ରୀତ୍‌ଙ୍କ ପ୍ରଥମ ରାତି: ଖାଇଲେନି କି ଶୋଇଲେନି

ଆମ୍ବାଲା: ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ସିଂହଙ୍କ ପୌଷ୍ୟାକନ୍ୟା ପ୍ରିୟାଙ୍କା ତନେଜା ଓରଫ ହନିପ୍ରୀତ୍‌ ଇନ୍‌ସାନ୍‌ଙ୍କ ଆମ୍ବାଲା କେନ୍ଦ୍ରୀୟ କାରାଗାରରେ ଶୁକ୍ରବାର ପ୍ରଥମ ରାତି କଟିଛି। ରାମ ରହିମଙ୍କ ସହ ଡେରା ଆଶ୍ରମରେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଇଥିବା ହନିପ୍ରୀତ୍‌ କାରାଜୀବନର ପ୍ରଥମ ରାତିରେ କିଛି ଖାଇନାହାନ୍ତି କି ଶୋଇ ବି ନାହାନ୍ତି।
ହିଂସାକାଣ୍ଡ ରଚାଇବା ପାଇଁ ସର୍ବସାଧାରଣଙ୍କୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଥିବା ହନିପ୍ରୀତଙ୍କୁ ହରିଆଣା ପୁଲିସ ରିମାଣ୍ଡ୍‌ରେ ନେଇ ଦୀର୍ଘ ୯ ଦିନ ଧରି ପଚରାଉଚୁରା କରିଥିଲା। ତେବେ ରିମାଣ୍ଡ୍‌ ଅବଧି ସରିବା ପରେ ପଞ୍ଚକୁଳା କୋର୍ଟ ହନିପ୍ରୀତ୍‌ ଏବଂ ସହଯୋଗୀ ସୁଖଦୀପ କୌରଙ୍କୁ ୧୦ ଦିନ ପାଇଁ ଆସନ୍ତା ୨୩ ତାରିଖ ଯାଏ ଜେଲ୍‌କୁ ପଠାଇଦେଇଛନ୍ତି। ଆମ୍ବାଲା ଜେଲ୍‌ରେ ଉଭୟଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ମହିଳା ସେଲ୍‌ରେ ଅନ୍ୟ ଅନ୍ତେବାସିନୀମାନଙ୍କ ଠାରୁ ଅଲଗା ରଖାଯାଇଛି। ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜଣେ ମହିଳା କନଷ୍ଟେବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତେବେ ପ୍ରଥମ ରାତିରେ କିଛି ଖାଇବା ପାଇଁ ହନିପ୍ରୀତ ମନା କରିଦେଇଥିଲେ। ସେହିପରି ସାରା ରାତି ମଧ୍ୟ ତାଙ୍କୁ ନିଦ ହୋଇନଥିବା ଜଣାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା, ସେ ଜେଲ୍‌ରେ ପ୍ରଥମେ ପହଞ୍ଚୁ ପହଞ୍ଚୁ ସେଠାରେ ମଧ୍ୟ ବନ୍ଦୀ ଜୀବନ କାଟୁଥିବା ରାମ ରହିମଙ୍କୁ ଭେଟିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଭାରି ନେହୁରା ହୋଇଥିଲେ। ମାତ୍ର ଦୀର୍ଘ ଦିନ ଧରି ବାବାଙ୍କୁ ଭେଟିନଥିବା ‘ପାପା କି ପରୀ’ ହନିପ୍ରୀତଙ୍କୁ ସେହି ସୁଯୋଗ ମିଳିନଥିଲା।

ସମ୍ବନ୍ଧିତ ଖବର