କୋର୍ଟରେ କାନ୍ଦିଲେ ହନିପ୍ରୀତ

 ୬ ଦିନ ପୁଲିସ୍‌ ରିମାଣ୍ଡରେ

ଚଣ୍ଡିଗଡ଼: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନ୍‌୍‌ସାନଙ୍କୁ ଗିରଫ ହେବାର ଗୋଟିଏ ଦିନ ପରେ ଆଜି ପଞ୍ଚକୁଳା ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ମଧ୍ୟ ହନିପ୍ରୀତିଙ୍କୁ ଆଜି ନିସ୍ତାର ମିଳିନାହିଁ।    ପଞ୍ଚକୁଳା ଜିଲ୍ଲା ଅଦାଲତ  ତାଙ୍କୁ ୬ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି।  ପୁଲିସ ୧୨ ଦିନ ରିମାଣ୍ଡ୍‌ ମାଗିଥିବା ବେଳେ ଅଦାଲତ ୬ ଦିନ ମଂଜୁର କରିଥିଲେ। ହନିପ୍ରୀତିଙ୍କ ଓକିଲ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ମନଗଢ଼ା ଦର୍ଶାଇ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।   ଆଜି ହନିପ୍ରୀତ ଜେରା ବେଳେ କାନ୍ଦି ପକାଇଥିଲେ।  ସେ ହାତ ଯୋଡ଼ି ନିଜକୁ ବାରମ୍ବାର ନିର୍ଦ୍ଦୋଷ ବୋଲି କହିଥିଲେ। ତେବେ ପୁଲିସ ଯୁକ୍ତି ଦର୍ଶାଇ କହିଥିଲେ ଯେ ହନିପ୍ରୀତ ପଂଜାବ, ରାଜସ୍ଥାନ ଏବଂ ହିମାଚଳର କିଛି ଲୋକଙ୍କ ସହ ମିଶି ହିଂସା ଷଡ଼ଯନ୍ତ୍ର ରଚିଥିବା ନେଇ ପ୍ରମାଣ ରହିଥିବାରୁ ଏ ବାବଦରେ ଆଉ କିଛି ଲୋକଙ୍କୁ ଗିରଫ କରାଯିବ। ଏହାପରେ କୋର୍ଟ ହନିପ୍ରୀତଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ନେଇଥିଲେ।

ହନିପ୍ରୀତଙ୍କ ସହିତ ଷଡ଼ଯନ୍ତ୍ରରେ ସାମିଲ ଥିବା ଅନ୍ୟତମ ଅଭିଯୁକ୍ତ ସୁଖଦୀପ କୌରଙ୍କୁ ମଧ୍ୟ ୬ ଦିନ ରିମାଣ୍ଡରେ ପଠାଯାଇଛି।  ରାମ ରହିମ ଦୋଷୀ ସାବ୍ୟସ୍ତ ହେବାପରେ ପଂଚକୁଳାରେ ଘଟିଥିବା ହିଂସାକାଣ୍ଡ  ନେଇ ହନିପ୍ରୀତଙ୍କ ବିରୋଧରେ ଦେଶଦ୍ରୋହ, ଷଡ଼ଯନ୍ତ୍ର ଏବଂ ଦଙ୍ଗା ଅପରାଧ ମାମଲା ରୁଜୁ ହୋଇଛି। ସେ ଦୀର୍ଘ ୩୮ ଦିନ ଧରି ପୁଲିସ ସହ ଲୁଚକାଳି ଖେଳିବା ପରେ ଶେଷରେ  ପଞ୍ଜାବରୁ ଗତକାଲି ଧରାପଡ଼ିଥିଲେ। ହନିପ୍ରୀତ ଏବଂ ତାଙ୍କ ମହିଳା ସହଯୋଗୀଙ୍କୁ ଜିରାକପୁର-ପଟିଆଲା ରୋଡ୍‌ରୁ ପୁଲିସ ଗିରଫ କରିବାପରେ ଉଭୟଙ୍କୁ ରାତି ୩ଟା ପର୍ଯ୍ୟନ୍ତ ଚଣ୍ଡୀମନ୍ଦିର ପୁଲିସ ଷ୍ଟେସନ୍‌ରେ  ଜେରା କରାଯାଇଥିଲା। ତେବେ  ଜେରା ପରେ ହନିପ୍ରୀତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା କହିଥିଲେ। କିନ୍ତୁ ହସ୍ପିଟାଲ୍‌କୁ ନେବାପରେ ସେ ସମ୍ପୂର୍ଣ୍ଣ ଠିକ୍‌ ଥିବା ଜଣାପଡ଼ିଥିଲା।

ପଂଚକୁଳା ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଥିଲେ।  ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ହନିପ୍ରୀତ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ ।  ପଞ୍ଚକୁଳା ପୁଲିସ କମିସନର ଏ.ଏସ ଚାଓ୍ଵଲା କହିଛନ୍ତି ଯେ ଗତ କିଛି ଦିନ ଧରି ହନିପ୍ରୀତ ଯେଉଁ ସ୍ଥାନରେ ଥିଲେ ସେ ବାବଦରେ ମଧ୍ୟ ତଦନ୍ତ ହେବ। ଗିରଫ ହେବା ପୂର୍ବରୁ ହନିପ୍ରୀତି ସପ୍ତାହେ ଧରି କେତେକ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର