ହନିପ୍ରୀତଙ୍କ ରିମାଣ୍ଡ୍‌ ନଭେମ୍ବର ୬ ଯାଏ ବଢ଼ିଲା

ଚଣ୍ଡୀଗଡ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମ୍‌ଙ୍କ ପୋଷ୍ୟକନ୍ୟା ପ୍ରିୟଙ୍କା ତନେଜା ଓରଫ ହନିପ୍ରୀତ ଇନ୍‌ସାନ୍‌ ପଞ୍ଚକୁଳା ହିଂସାକାଣ୍ଡ ଉସୁକାଇବା ଅଭିଯୋଗରେ ଏବେ ଅମ୍ବାଲା କେନ୍ଦ୍ରୀୟ ଜେଲ୍‌ରେ ରହିଛନ୍ତି।  ତାଙ୍କ ରିମାଣ୍ଡ ଅବଧି ସରୁଥିବା ବେଳେ ତାହାକୁ ଆସନ୍ତା ୬ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ଫଳରେ ସେ ନଭେମ୍ବର ୬ ଯାଏ ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ଜଣାଯାଇଛି। ଉଭୟ ହନିପ୍ରୀତ ଏବଂ ତାଙ୍କ ସହଯୋଗୀ ସୁଖଦୀପ କୌରଙ୍କ ରିମାଣ୍ଡ୍‌ ଆଜି ସରୁଥିବା ବେଳେ ସେମାନଙ୍କୁ ଅମ୍ବାଲା ଜେଲ୍‌ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ରୋହିତ ଓ୍ଵାଟ୍ସଙ୍କ ଅଦାଲତରେ ହାଜର କରାଯାଇଥିଲା। ତେବେ ଏହାପରେ ପଞ୍ଚକୁଳା କୋର୍ଟ ହନିପ୍ରୀତଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।
ଉଲ୍ଲେଖ ଥାଉ କି, ଗତ ଅଗଷ୍ଟ ୨୫ ତାରିଖରେ ବାବା ରାମ ରହିମ୍‌ ଦୋଷୀ ସାବ୍ୟସ୍ତ ହେବା ପରେ ପଞ୍ଚକୁଳାରେ ଘଟିଥିବା ହିଂସାକାଣ୍ଡର ଷଡ଼ଯନ୍ତ୍ର ରଚାଇଥିବା ଅଭିଯୋଗରେ ହନିପ୍ରୀତଙ୍କ ସହ ତାଙ୍କ ସହଯୋଗୀ ସୁଖଦୀପ କୌରଙ୍କୁ ପଞ୍ଜାବର ଜିରାକପୁର-ପଟିଆଲା ରୋଡ୍‌ରୁ ପୁଲିସ ଗିରଫ କରିଥିଲା। ଅକ୍ଟୋବର ୪ ତାରିଖରେ କୋର୍ଟ ତାଙ୍କୁ ୬ ଦିନିଆ ପୁଲିସ ରିମାଣ୍ଡରେ ପଠାଇ ଦେଇଥିଲେ। ଏହାପରେ ତାଙ୍କୁ ଅଧିକ ୩ଦିନ ପାଇଁ ପୁଲିସ ରିମାଣ୍ଡରେ ରଖାଯାଇଥିଲା। ପୁଲିସ ରିମାଣ୍ଡ୍‌ ସରିବା ପରେ ସେମାନଙ୍କୁ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ଆଜି ପୁଣିଥରେ ହନିପ୍ରୀତଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର