ଆଜି ଆତ୍ମସମର୍ପଣ କରିବେ ହନିପ୍ରୀତ୍‌ !

ନୂଆଦିଲ୍ଲୀ: ଆତ୍ମ ଘୋଷିତ ବାବା ଗୁରମିତ୍‌ ରାମରହିମଙ୍କର ପୋଷ୍ୟ କନ୍ୟା ବୋଲି କୁହାଯାଉଥିବା ହନିପ୍ରୀତ୍‌ ଆଜି ଆତ୍ମ ସମର୍ପଣ କରିବେ ବୋଲି ଚର୍ଚ୍ଚା ହେଉଛି। ସେ ଏକ ଜାତୀୟ ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ବାବା ଗୁରମିତ୍‌ ରାମରହିମଙ୍କ ସହ ତାଙ୍କ ସଂପର୍କକୁ ଯେଉଁଭଳି କଳଙ୍କିତ କରାଯାଉଛି ତାହା ଠିକ୍‌ ନୁହେଁ।

ଗୁରମିତ୍‌ ରାମରହିମଙ୍କ ସହ ତାଙ୍କର ସଂପର୍କ ବାପ-ଝିଅ ଭଳି ବୋଲି ହନିପ୍ରୀତ୍‌ କହିଛନ୍ତି। ପ୍ରାୟ ୩୯ ଦିନପରେ ସେ କାହିଁକି ମିଡ଼ିଆ ସାମ୍ନାକୁ ଆସିଲେ ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ପ୍ରକୃତରେ ସେ ଡିପ୍ରେସନକୁ ଚାଲିଯାଇଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେସିବିଆଇର ସାକ୍ଷୀ ହୋଇଥିବା ରାମରହିମଙ୍କ ଡ୍ରାଇଭର୍‌ ଖଟ୍ଟାର ସିଂହ ଓ ତାର ପୁଅ ଗୁରୁଦାସ ସିଂହ କହିଛନ୍ତି ଯେ ପ୍ରଥମଥର ଯେଉଁଦିନ ହନିପ୍ରୀତ୍‌ ରାମରହିମର ଗୁମ୍ଫା ଭିତରେ ପ୍ରବେଶ କରିଥିଲେ, ସେଦିନ ବାହାରିବା ସମୟରେ ସେ କାନ୍ଦି କାନ୍ଦି ଫେରିଥିଲେ । ସେହିଦିନ ଡ୍ରାଇଭର ଖଟ୍ଟାର ସିଂହ ନିଜେ ଗୁମ୍ଫାର ଜଗୁଆଳୀ ଥିଲେ ଓ ସେ ନିଜ ଆଖିରେ ଏହା ଦେଖିଥିବା କହିଛନ୍ତି । ସେ ଏହା ସିବିଆଇକୁ କହିଥିବା କୁହାଯାଉଛି।

ଏହି ଦୁଷ୍କର୍ମ ଘଟଣା ପରେ ହନିପ୍ରୀତ୍‌ ନିୟମିତ ଭାବେ ଡେରା ସଚ୍ଚା ସୌଦା ଗୁରୁମିତ୍‌ ରାମରହିମ୍‌ଙ୍କୁ ବ୍ଲାକ୍‌ ମେଲ୍‌ କରି ନମ୍ବର ଟୁ ପୋଜିସନ୍‌କୁ ଆସିଥିଲେ ବୋଲି ମଧ୍ୟ କୁହାଯାଉଛି । ସେ ମନେମନେ ଏହି ଘଟଣାର ପ୍ରତିଶୋଧ ନେବାଲାଗି ଯୋଜନା କରୁଥିଲେ ବୋଲି ମଧ୍ୟ କୁହାଯାଉଛି।

ଜଣେ ପୂର୍ବତନ ଡେରା ସମର୍ଥକ ଗୁରୁଦାସ ସିଂହ ଟୁର୍‌ କହିଛନ୍ତି ଯେ ହନିପ୍ରୀତ୍‌ଙ୍କର ଆଉ ଏକ ଅଭିଳାଷ ମଧ୍ୟ ଥିଲା । ସେ ଚାହୁଁଥିଲେ ରାମ ରହିମଙ୍କ ଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ହେଉ, ଯିଏ କି ଭବିଷ୍ୟତରେ ଡେରାର ମୁଖ୍ୟ ହେବେ । ତେବେ ରାମରହିମ ଓ ହନିପ୍ରୀତ୍‌ଙ୍କ ଏହି ପୁଅ ଆନୁଷ୍ଠାନିକ ଭାବେ ହନିପ୍ରୀତ୍‌ଙ୍କ ସ୍ୱାମୀ ବିଶ୍ୱାସ ଗୁପ୍ତାଙ୍କର ପୁଅ ବୋଲି ପରିଚତ ହେବେ । ଏଥିପାଇଁ ବାବା ରାମ ରହିମ ମଧ୍ୟ ରାଜି ହୋଇଥିଲେ। ହେଲେ କୌଣସି ସୂତ୍ରରୁ ଏହି ଖବର ପ୍ରଘଟ ହେବା ପରେ ହନିପ୍ରୀତ୍‌ଙ୍କ ସ୍ୱାମୀ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ପରିଣାମସ୍ୱରୂପ ଉଭୟଙ୍କର ଏହି ଯୋଜନା ପଣ୍ଡ ହୋଇଥିଲା ।ତେବେ ହନିପ୍ରୀତ ସର୍ବଦା ରାମରହିମଙ୍କୁ ବଶ କରି ରଖିଥିଲେ ବୋଲି ଗୁରୁଦାସ ସିଂହ ଟୁର୍‌ କହିଛନ୍ତି ।

ସିବିଆଇର ସାକ୍ଷୀ ହୋଇଥିବା ଗୁରୁଦାସ ସିଂହଟୁର୍‌ ଆହୁରି ମଧ୍ୟ କହିଛନ୍ତି ଯେ ସେ ଗୁରମିତ୍‌ ରାମରହିମ୍‌ ଓ ହନିପ୍ରୀତ୍‌ ଶାରୀରିକ ସଂପର୍କ କରୁଥିବାର ମଧ୍ୟ ଦେଖିଛନ୍ତି । ଏହି ସମୟରେ ତାଙ୍କର ରାମରହିମ୍‌ଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠରେ ଜଗୁଆଳି ଦାୟିତ୍ୱ ଦିଆଯାଇଥିଲା । ୨୦୦୭ରେ ରାମରହିମ୍‌ ତାଙ୍କ ପୁଅ ଜଶମିତ୍‌ ସିଂହଙ୍କ ଡେରା ସଚ୍ଚାସୌଦାର ପରବର୍ତ୍ତୀ ମୁଖ୍ୟ ଭାବେ ଘୋଷଣା କରିଥିଲେ । ହନିପ୍ରୀତ୍‌ଙ୍କୁ କେବେ ବି ରାମରହିମ୍‌ ନିଜର କନ୍ୟା ଦୃଷ୍ଟିରେ ଦେଖୁ ନଥିଲେ ବୋଲି କହିଛନ୍ତି ଗୁରୁଦାସ ସିଂହଟୁର୍‌ ।

ସମ୍ବନ୍ଧିତ ଖବର