ପ୍ରଧାନମନ୍ତ୍ରୀ ହେବି : ବିଜେପିର କଟାକ୍ଷ: ରାହୁୁଲ ନିଜେ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି

ନୂଆଦିଲ୍ଲୀ: ୨୦୧୯ ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ଼ ଦଳ ହେଲେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି। ତେବେ ରାହୁଲଙ୍କ ଏହି ବୟାନକୁ ସହଯୋଗୀ ଦଳମାନେ ଉତ୍ସାହନଜନକ ସମର୍ଥନ ଦେଇନାହାନ୍ତି। ୟୁପିଏର ପ୍ରମୁଖ ସହଯୋଗୀ ଦଳ ଏନ୍‌୍‌ସିପି କହିଛି ଯେ ରାହୁଲଙ୍କ ସ୍ୱପ୍ନ ଦେଖିବା ଅଧିକାର ରହିଛି, କିନ୍ତୁ ପ୍ରଧାନମନ୍ତ୍ରୀ କିଏ ହେବ ତାହା ଅତ୍ୟନ୍ତ ମୂଲ୍ୟବାନ ପ୍ରଶ୍ନ । ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ ରାହୁଲଙ୍କୁ କେହି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନଥିବାରୁ ସେ ନିଜେ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ରାହୁଲ ଆଜି ବେଙ୍ଗାଲୁରୁରେ କହିଥିଲେ ଯେ ୨୦୧୯ ନିର୍ବାଚନରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହେଲେ ସେ ପ୍ରଧାନମନ୍ତ୍ରୀ ହେବେ। ରାହୁଲ କହିଥିଲେ ଯେ ୨୦୧୯ରେ ମୋର ରାଜନୈତିକ ଆକଳନ ସତ୍ୟ ସାବ୍ୟସ୍ତ ହେବ ଏବଂ ନରେନ୍ଦ୍ର ମୋଦି ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ରାହୁଲଙ୍କ ଏହି ବୟାନକୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଚିନ୍ତାରେ ବ୍ୟସ୍ତ ଥିବାବେଳେ ରାହୁଲ ନିଜ ଭବିଷ୍ୟତ ଚିନ୍ତାରେ ବ୍ୟସ୍ତ ଅଛନ୍ତି।
ରାହୁଲଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ସିପିଆଇ ନେତା ଡି ରାଜା କହିଛନ୍ତି ଯେ ଏବେ ସମସ୍ତ ଧର୍ମନିରପେକ୍ଷ ଦଳମାନେ ଏକଜୁଟ ହେବା ସମୟ ଆସିଯାଇଛି। ପ୍ରଥମେ ବିଜେପି କ୍ଷମତାରୁ ହଟିବା ଆବଶ୍ୟକ ବୋଲି ସେ କହିଛନ୍ତି। ଟିଡିପି ପ୍ରବକ୍ତା ଲଙ୍କା ଦୀନାକରଣ କହିଛନ୍ତି ଯେ ରାଜନୀତିରେ ଯେ କୌଣସି ବ୍ୟକ୍ତି ଏଭଳି ମହତ୍ତ୍ୱାକାଂକ୍ଷା ରଖିପାରିବ। ତେବେ କେଉଁ ନେତା ପ୍ରଧାନମନ୍ତ୍ରୀ ହେବେ ତାହା ଜନସାଧାରଣ ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ରାହୁଲଙ୍କ ବୟାନ ଉପରେ ଶିବସେନା ପ୍ରତିକ୍ରିୟା ଦେଇ କହିଛି ଯେ ରାହୁଲ ଗାନ୍ଧୀଙ୍କୁ ଆହୁରି ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। କଂଗ୍ରେସକୁ ୨୦୧୯ ନିର୍ବାଚନରେ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଶିବସେନା ନେତା ମନିଷା କାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର