ବଡ଼ ଖୁଲାସା: ଡାକ୍ତରଖାନାର ଭୁଲ ପାଇଁ ହୋଇଥିଲା ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ମୃତ୍ୟୁ, ପରିବାରକୁ ଜରିମାନା ଆକାରରେ ଦିଆଯାଇଥିଲା ୪୧କୋଟି ଟଙ୍କା

ନୂଆଦିଲ୍ଲୀ : ପ୍ରଥମେ ଚନ୍ଦ୍ରପୃଷ୍ଠକୁ ଯିବାରେ ସଫଳ ହୋଇଥିବା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଚିକିତ୍ସିତ ହେଉଥିବା ଡାକ୍ତରଖାନାର ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଏକ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିବା ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଯାହା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜକୁ ଦୋଷୀ ବୋଲି ମାନିବା ସହ ଜରିମାନା ଆକାରରେ ୪୧କୋଟି ଦେଇ ସାରିଥିବା ଜଣା ପଡ଼ିଛି । ୨୦୧୨ରେ ନିଲ୍‌ଙ୍କ ହୃଦୟ ସର୍ଜରୀ କରାଯାଇଥିବା ବେଳେ ଡାକ୍ତରଖାନାର ଅବହେଳା ପାଇଁ ସେ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏହା ପରେ ପରିବାର ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାବଣା ହୋଇ ୨୦୧୪ରେ ଡାକ୍ତରଖାନା ପକ୍ଷରୁ ନିଲ୍‌ଙ୍କ ପରିବାର ଲୋକଙ୍କୁ ୪୧କୋଟି ଟଙ୍କା ଦିଆଯାଇଥିଲା । ଯାହାର କାଗଜପତ୍ର ଜୁଲାଇ ୨୩, ୨୦୧୯ରେ ସାର୍ବଜନିକ କରାଯାଇଛି ।

oneindia.com

ସୂଚନା ମୁତାବକ, ମର୍ସି ହେଲ୍‌ଥ- ଫେୟାରଫିଲ୍‌ଡ ଡାକ୍ତରଖାନାରେ ନିଲଙ୍କ କୋରୋନାରି ବାଇପାସ୍‌ ସର୍ଜରୀ କରାଯାଇଥିଲେ ମଧ୍ୟ ଡାକ୍ତରଙ୍କ ଅବହେଳା ପାଇଁ ଅଗଷ୍ଟ ୨୫, ୨୦୧୨ରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଅଭିଯୋଗ କରି ନିଲ୍‌ଙ୍କ ପରିବାର ଲୋକେ ଆଇନର ସହାୟତା ନେଇ ଡାକ୍ତରଖାନା ବିରୋଧରେ ଲଢ଼ିବା ଆରମ୍ଭ କରିଥିଲେ । କିନ୍ତୁ ଦୁଇ ବର୍ଷ ପରେ ୨୦୧୪ରେ ବ୍ୟକ୍ତିଗତ ସ୍ତରରେ ଏହାର ସମାଧାନ କରିବା ପାଇଁ ଡାକ୍ତରଖାନା ପକ୍ଷରୁ ଜରିମାନା ଆକାରରେ ନିଲ୍‌ଙ୍କ ପରିବାରକୁ ୪୧କୋଟି ଟଙ୍କା ଦିଆଯାଇଥିଲା । ଯାହାକୁ ନିଲ୍‌ଙ୍କ ଦୁଇ ପୁଅ, ଭାଇ-ଭଉଣୀ ଓ ୬ଜଣ ନାତି-ନାତୁଣୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଏହାକୁ ଗୁପ୍ତ ଭାବରେ କରାଯାଇଥିବା ବେଳେ ଜୁଲାଇ ୨୩, ୨୦୧୯ରେ ଏହାର କାଗଜପତ୍ର ସମସ୍ତଙ୍କ ସାମ୍ନାକୁ ଆସି ଯାଇଛି ।

ସମ୍ବନ୍ଧିତ ଖବର