ଜାତିସଂଘ ସୁରକ୍ଷା ପରିଷଦରେ ମଙ୍ଗ ମୋଡୁଛି ଚୀନ: ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଉପରେ ଲଗାଇପାରେ ରୋକ

ବେଜିଂ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି) ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ମଙ୍ଗ ମୋଡିଛି ଚୀନ। ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାରେ ଚୀନ ରୋକ ଲଗାଇପାରେ ବୋଲି ସଂକେତ ଦେଇଛି। ବୁଧବାର ଚୀନ ସଂକେତ ଦେଇ କହିଛି ଯେ ‘ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ନିଷ୍ପତ୍ତିକୁ ଚୀନ ସମର୍ଥନ କରିବାର ବିଶେଷ ସମ୍ଭାବନା ନାହିଁ। ଚୀନ ସବୁ ବେଳେ ଦୁଇ ପକ୍ଷକୁ ସୁହାଇବା ପରି ସମାଧାନକୁ ସମର୍ଥନ କରିବ।’

ଫେବ୍ରୁଆରି ୨୬ ତାରିଖରେ ପୁଲଓ୍ୱାମା ଆକ୍ରମଣ ଜବାବରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର୍‌ ଷ୍ଟ୍ରାଇକ୍‌ କରିବା ପରେ ଫେବ୍ରୁଆରି ୨୭ ତାରିଖରେ ଫ୍ରାନ୍ସ, ଇଂଲଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମିଳିତ ଭାବେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ  କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନିଷ୍ପତ୍ତି ନେଇଥିଲେ। ତେବେ ସୁରକ୍ଷା ପରିଷଦରେ ‘ ଭିଟୋ’ କ୍ଷମତା ଥିବା ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା କହିଥିଲେ ‘ଚୀନ ଏକ ଦାୟିତ୍ୱସଂପନ୍ନ ରାଷ୍ଟ୍ର ହୋଇଥିବାରୁ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥିତ ରହି ମାମଲାର ବିଚାର ବିମର୍ଶରେ ସହାୟତା କରିବ।’

ଉଲ୍ଲେଖଯୋଗ୍ୟ, ଚୀନ ହେଉଛି ଜାତିସଂଘ ସୁରକ୍ଷା ପରିଷଦିର ସ୍ଥାୟୀ ସଦସ୍ୟ । ସେ ତା’ର ଭିଟୋ କ୍ଷମତା ବ୍ୟବହାର କରି ପୂର୍ବରୁ ଅନେକ ଥର ଭାରତ ଓ ଅନ୍ୟ ସଦସ୍ୟଙ୍କ ପକ୍ଷରୁ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ହୋଇଥିବା ନିଷ୍ପତ୍ତି ଉପରେ ରୋକ ଲଗାଇ ସାରିଛି। ଚୀନ ବାରମ୍ବାର ସେହି ଗୋଟାଏ କଥା କହି ଚାଲିଛି ଯେ ସମାଧାନ ସମସ୍ତଙ୍କୁ ସୁହାଇବା ଭଳି ହେବା ଉଚିତ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ, ଗତ କିଛି ଦିନ ତଳେ ଚୀନର ଉପବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଥିଲେ। ସେ ପାକିସ୍ତାନ ଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ସେନା ମୁଖ୍ୟ ଜେନେରାଲ କ୍ୱାମାର ଜାଭେଦ ବଜଓ୍ଵାଙ୍କୁ ଭେଟିଥିଲେ।

ଅନ୍ୟପକ୍ଷରେ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ମାସୁଦ ଆଝାର ଓ ପାକ୍‌ରେ ଥିବା ଜୈଶ୍‌-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ସଂପର୍କରେ ଜାଣନ୍ତି। ଜାତିସଂଘ ସୁରକ୍ଷା ପରିଷଦର କର୍ତ୍ତବ୍ୟ ହେଉଛି ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଦ୍ୱାରା ହଁ ହୋଇଛି। ଗତ ଫେବ୍ରୁଆରି ୧୪ରେ ପୁଲଓ୍ଵାମାରେ ହୋଇଥିବା ଆକ୍ରମଣ ତାହାର ଏକ ଉଦାହରଣ। ପୁଲଓ୍ଵାମା ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି।

ସମ୍ବନ୍ଧିତ ଖବର