ପଶ୍ଚିମବଙ୍ଗରେ ‘ଅମ୍ଫାନ’ର ତାଣ୍ଡବ, ୨ ମୃତ

କୋଲକାତା: ଘୂର୍ଣିବାତ୍ୟା ଅମ୍ଫାନ୍‌ ଆଜି ଦିନସାରା ତାର କରାଳ ରୂପ ଦେଖାଇଛି। ପଶ୍ଚିମବଙ୍ଗରେ ଘଡ଼ଘଡ଼ି, ବିଜୁଳି ସହ ମୁଷଳଧାରାରେ ବର୍ଷା ହୋଇଛି। ଆଜି ଅପରାହ୍ନରେ ଅମ୍ଫାନ୍‌, ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାକୁ ୧୬୦ରୁ ୧୭୦ କିମି ବେଗରେ ପବନ ବହୁଥିଲା। ମଝିରେ ମଝିରେ ୧୯୦ କିମି ମାଡ଼ ହେଉଥିଲା। ଏଠାରେ ତାଣ୍ଡବ ରଚାଇ ବାଂଲାଦେଶ ଆଡ଼କୁ ଗତି କରିଥିଲା। ଏହି ସମୟରେ ସମୁଦ୍ରରେ ୬ ଫୁଟ ଉଚ୍ଚର ଜୁଆର ଆସିଥିଲା। କୂଳରେ ବନ୍ଧା ହୋଇଥିବା କେତେକ ମାଛଧରା ଡଙ୍ଗା ଜୁଆର ଭସାଇ ନେଇଥିଲା। ବିଶେଷତଃ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇ ବହୁ ଗଛ ଉପୁଡ଼ି ପଡ଼ିଛି। ବିଭିନ୍ନ ସ୍ଥାନ‌ରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଛିି। ଉପକୂଳ ଅଞ୍ଚଳରେ ବହୁ କଚ୍ଚା ଘର, ପୁରୁଣା କୋଠା ଭାଙ୍ଗି ପଡ଼ିଥିବା ବେଳେ ଅନେକ ଘରର ଆଜବେଷ୍ଟସ୍‌ ଉଡ଼ାଇ ନେଇଛି। ସୁନ୍ଦରବନ ଛାରଖାର ହୋଇଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ବାତ୍ୟାରେ ୨ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଗୁରୁବାର ଦିନସାରା ବର୍ଷା ଲାଗି ରହିବ ଏବଂ ମଝିରେ ମଝିରେ ପବନର ବେଗ ଘଣ୍ଟା ପ୍ରତି ୬୦ କିମି ରହିବ ବୋଲି ଆଲିପୁର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।

ଅମ୍ଫାନ ଗତିବିଧିକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର ରାଜ୍ୟକୁ ନାରଙ୍ଗୀ ଚେତାବନୀ ଜାରି କରିଥିଲା। ତେଣୁ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ। ଉପକୂଳ ତଥା ନିମ୍ନାଞ୍ଚଳରେ ରହୁଥିବା ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିରାନଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲିଠାରୁ ପାଗ ବଦଳିଥିବା ବେେଳ ଆଜି ସକାଳୁ ମୂଷଳ ଧାରାରେ ବର୍ଷା ସହ ପବନ ଆରମ୍ଭ ହୋଇଥିଲା। ପ୍ରଥମେ ନାମଖାନା, ବାରୁଇପୁର, କାକଦ୍ବୀପ ଓ ଗଙ୍ଗାସାଗରରେ ଅମ୍ଫାନ ତାର ତାର୍ଡବ ଆରମ୍ଭ କରିଥିଲା। ତା’ପରେ ଉପକୂଳ ଜିଲ୍ଲା ଆଡ଼କୁ ମୁହାଇଁଲା। ବେଳକୁ ବେଳ ପବନର ଗତି ବଢ଼ୁଥିଲା। କୋଲକାତା, ହୁଗୁଳି, ହାଓଡ଼ା, ଦକ୍ଷିଣ ଓ ଉତ୍ତର ୨୪ ପ୍ରଗଣା ଏବଂ ମେଦିନୀପୁରରେ ବାତ୍ୟା ତାଣ୍ଡବ ରଚାଇଲା। ଘଡ଼ଘଡ଼ି ସହ ବର୍ଷା ଓ ପବନ ଲୋକଙ୍କୁ ଡରାଇ ଦେଇତିଲା। ଉପକୂଳ ଜିଲ୍ଲାମାନଙ୍କରେ ବହୁ ଗଛ ଉପୁଡ଼ିଛି। କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗପଡ଼ି ରାସ୍ତା ଉପରେ ପଡ଼ିବାରୁ ଯାତାୟତ ଠପ୍‌ ହୋଇଯାଇଛି। ଅନେକ ସ୍ଥାନରେ ବିଜୁଳି ଖୁଣ୍ଟ ଉପଡ଼ି ପଡ଼ିଥିବାରୁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡ଼ିଛି। ଶହଶହ କଚ୍ଚା ଘର ଭାଙ୍ଗି ଦେଇଛି। ବହୁ ଦୁର୍ବଳ କୋଠା ଭୁଶୁଡ଼ି ପଡ଼ିଛି। ଅନେକ ଘରର ଟିଣ ଛପର ଉଡ଼ି ଯାଇଛି। କେତେକ ସ୍ଥାନରେ ରେଳ ଧାରଣା ଉପରେ ଗଛ ଉପୁଡ଼ି ପଡ଼ିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହାଓଡ଼ା ଏବଂ ଉତ୍ତର ୨୪ ପ୍ରଗଣାରେ ଗଛ ଉପୁଡ଼ି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଅମ୍ଫାନ ଯୋଗୁଁ ଫସଲ କ୍ଷେତ୍ରରେ ବହୁ କ୍ଷୟକ୍ଷତି ହୋଇଛି। ପନିପରିବା ଫସଲ ଉଡ଼ୁଡ଼ି ଯାଇଛି। ନବାନ୍ନରେ ଥାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର