ଘରେ କଳି, ବାହାରେ ମୋଦି ବିରୋଧୀ ମେଳି:ୟୁପି ମହାମେଣ୍ଟରେ କେଁ!

ନୂଆଦିଲ୍ଲୀ: ବିଜେପି ହାତକୁ ଯେଭଳି ଭାବେ ଆଉଥରେ କ୍ଷମତା ଡୋରି ନଯାଏ ସେଥିପାଇଁ ସବୁ ବିରୋଧୀ ଦଳ ଏକଜୁଟ ହେଉଛନ୍ତି। ବିଗତ ଉପ ନିର୍ବାଚନ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ବିଜେପିକୁ ହଟାଇବାରେ ସଫଳ ହେବା ପରେ ୨୦୧୯ରେ ଏହି ଫର୍ମୁଲା ଆପଣାଇବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି। ରାଜ୍ୟ ଗୁଡ଼ିକରେ ରାଜନୈତିକ ଦଳଙ୍କ ମଧ୍ୟରେ କଳି ଲାଗି ରହିଥିଲେ ମଧ୍ୟ କେନ୍ଦ୍ରରେ ମୋଦି ବିରୋଧୀ ମେଳି ଜାରି ରହିଛି। ଏହାକୁ ରାଜନୀତି ବିଶାରଦମାନେ ଘରେ କଳି, ବାହାରେ ମୋଦି ବିରୋଧୀ ମେଳି ଆଖ୍ୟା ଦେଉଛନ୍ତି। ନିକଟରେ ଦିଲ୍ଲୀ ରାଜନୈତିକ ସଙ୍କଟରେ ଟିଏମ୍‌ସି, ସିପିଏମ୍‌, ଜେଡିଏସ୍‌, ଜେଡିୟୁ, ଟିଡିପି, ଶିବସେନା, ସମାଜବାଦୀ ପାର୍ଟି ଆଦି ଦଳ ଗୁଡ଼ିକ ଆମ୍‌ ଆଦ୍‌ମୀ ପାର୍ଟିକୁ ସମର୍ଥନ କରିବା ସହ ଏକାସାଙ୍ଗରେ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିବା ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ସମସ୍ତ ଦଳ ଆଞ୍ଚଳିକ ସ୍ତରରେ ମେଣ୍ଟ କରି ନିର୍ବାଚନ ଲଢିବାରେ ସମର୍ଥ ହୋଇପାରୁ ନାହାନ୍ତି। ତେଣୁ ବିଜେପି ବିରୋଧୀ ସମସ୍ତ ଆଞ୍ଚଳିକ ଦଳ କେନ୍ଦ୍ର ପାଇଁ ଗୋଟିଏ ଓ ରାଜ୍ୟପାଇଁ ଆଉ ଏକ ରଣନୀତି ଆପଣାଇବାକୁ ବାଧ୍ୟ ହେଉଛନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଉଛନ୍ତି।
କେନ୍ଦ୍ର ବିରୋଧରେ ଏକଜୁଟ ହେବା ଓ ୨୦୧୯ ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି ବିରୋଧୀ ଦଳଙ୍କ ମଧ୍ୟରେ ବେଶ୍‌ ତତ୍ପରତା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ତୃତୀୟ ସାମୁଖ୍ୟ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଆଦି ମହାମେଣ୍ଟକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି। କର୍ଣ୍ଣାଟକ ନିର୍ବାଚନ ବିଜୟ ପରେ ଏକଜୁଟ ହୋଇଥିବା ତମାମ୍‌ ବିରୋଧୀ ନେତାଙ୍କ ମୋଦି ବିରୋଧୀ ମେଳି ଯଦି ଏହି ରଣନୀତିର ପ୍ରଥମ ପର୍ଯ୍ୟାୟ ହୁଏ ତେବେ କେଜ୍ରିଓ୍ଵାଲଙ୍କ ସପକ୍ଷରେ ଏବେ ଏକଜୁଟ ହେବା ଦ୍ୱିତୀୟ ପର୍ଯ୍ୟାୟ ବୋଲି ଚର୍ଚ୍ଚା ହେଉଛି।
ଲକ୍ଷ୍ନୌ,୧୭/୬: ୟୁପିରେ ସମାଜବାଦୀ ପାର୍ଟି, ବହୁଜନ ସାମଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମହାମେଣ୍ଟ ହେଲେ ପୁଣିଥରେ ୟୁପି ଶାସନ ଡୋରି ବିଜେପି ହାତରୁ ଖସିଯିବ ବୋଲି ବିରୋଧୀ ଚିନ୍ତା କରୁଛନ୍ତି। ତେବେ ଏହି ମହାମେଣ୍ଟ ହେବା ପୂର୍ବରୁ ଏଥିରେ ଫାଟ ସୃଷ୍ଟି ହେଲାଣି। ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟରେ କଂଗ୍ରେସର ଆସନକୁ ନେଇ ଭାଗ ଛିଣ୍ଡିପାରୁନି। ମିଳିଥିବା ଖବର ମୁତାବକ, କଂଗ୍ରେସକୁ କେବଳ ଅମେଥି ଓ ରାୟବରେଲି ଆସନ ହିଁ ଦେବା ନେଇ ସମାଜବାଦୀ ପାର୍ଟି ଜିଦ୍‌ ଧରିବସିଛି। କଂଗ୍ରେସକୁ ଦାବି ମୁତାବକ, ଆସନ ଦେବାନେଇ ଉଭୟ ଏସ୍‌ପି ଓ ବିଏସପି ରାଜି ନାହାନ୍ତି। ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଦିଲ୍ଲୀ ଗସ୍ତ କରି କଂଗ୍ରେସ ସହ ମଧ୍ୟ ଆଲୋଚନା କରିବେ ବୋଲି ସୁଚନା ମିଳିଛି। ଉଲ୍ଳେଖଯୋଗ୍ୟ, ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ସବୁକିଛି କରିପାରିବେ ବୋଲି ଅଖିଳେଶ ମତବ୍ୟକ୍ତ କରିବା ପରେ ବିଏସପି ସହ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ଘଟିଛି।

ସମ୍ବନ୍ଧିତ ଖବର