ତାଣ୍ଡବ ରଚିବା ଆଗରୁ ନିପାକୁ ଚିହ୍ନଟ କଲେ ଏହି ୩ ଡାକ୍ତର; ନହେଲେ ଏବେବି ନିପା ଆକ୍ରାନ୍ତଙ୍କୁ ମସ୍ତିଷ୍କ ଜ୍ୱର ରୋଗୀ ଭାବି ଚିକିତ୍ସା କରାଯାଉ ଥାଆନ୍ତା!

ଥିରୁବନ୍ତପୁରମ୍‌ (କେରଳ): ମାରାତ୍ମକ ନିପା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ କେରଳରେ ବର୍ତ୍ତମାନ ସୁଦ୍ଧା ୧୨ଜଣ ମୁତ୍ୟୁମୁଖରେ ପଡ଼ିଥିବା ବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ତେବେ, ନିପା କେରଳରେ ତାଣ୍ଡବ ରଚିବା ପୂର୍ବରୁ ଏହାକୁ ଯଥାଶୀଘ୍ର ଚିହ୍ନଟ କରି ଏହାକୁ ଆଉ ଅଧିକ ବ୍ୟାପିବାରୁ ଦୂରେଇ ରଖିବାରେ ସମର୍ଥ ହୋଇଥିବା କେରଳର ତିନି ଜଣ ଡାକ୍ତରଙ୍କ ମିଳିତ ଉଦ୍ୟମକୁ ଏବେ ଦେଶବ୍ୟାପି ପ୍ରଶଂସା କରାଯାଉଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, କେରଳର ବେବି ମେମୋରିଆଲ ହସ୍ପିଟାଲର କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଏ ଏସ୍‌ ଅନୁପ୍‌ କୁୁମାର ଗତ ମେ ୧୭ ତାରିଖରେ ଓ୍ଵାର୍ଡରେ ରାଉଣ୍ଡରେ ଥିବାବେଳେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜନୈକ ରୋଗୀ ମହମ୍ମଦ ସାଲିଆଙ୍କ ନିକଟରେ କିଛି ଅଦ୍ଭୁତ ଧରଣର ଲକ୍ଷଣ ସବୁ ଦେଖିବାକୁ ପାଇଲେ। ସଂପୃକ୍ତ ରୋଗୀ ମହମ୍ମଦ ସାଲିଆ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇ ତାଙ୍କର ଚିକିତ୍ସା କରା ଯାଉଥିଲା। ତେବେ, ଡାକ୍ତର ଅନୁପ୍‌ ନିରୀକ୍ଷଣ କରି ଦେଖିଲେ ଯେ ତାଙ୍କ ନିକଟରେ ମସ୍ତିଷ୍କ ଜ୍ୱରରେ ଯେଉଁ ସବୁ ଲକ୍ଷଣ ଦେଖାଯିବା କଥା ସେସବୁ କିଛି ନାହିଁ; ବରଂ ଭିନ୍ନ ଧରଣର ନୂଆ ନୂଆ ଲକ୍ଷଣ ସବୁ ପରିଲକ୍ଷିତ ହେଉଛି। ଏଘଟଣା ଦେଖିବା ପରେ ସେ ତାଙ୍କର ଅନ୍ୟଦୁଇ ଡାକ୍ତର ବନ୍ଧୁ ଡାକ୍ତର ଅଜିତ୍‌ କେ ଗୋପନ ଓ ଡାକ୍ତର ଗଙ୍ଗା ପ୍ରସାଦଙ୍କୁ ଘଟଣା ସଂପର୍କରେ କହିଥିଲେ। ପରେ, ସେମାନେ ସମସ୍ତେ ମିଳିତ ଭାବେ ପରୀକ୍ଷା କରି ଦେଖିଲେ ଯେ ମହମ୍ମଦ ସାଲିଆ ମସ୍ତିଷ୍କ ଜ୍ୱରରେ ନୁହେଁ ବରଂ କିଛି ନୂଆ ଧରଣର ଅଜଣା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

ପରେ, ସେମାନେ ରୋଗୀ ମହମ୍ମଦ ସାଲିଆଙ୍କର ଜଣେ ସଂପର୍କୀୟଙ୍କୁ ଡକାଇ ତାଙ୍କ ଠାରୁ ପଚରାପଚରି କରି ବୁଝିଲେ ଯେ ଅଳ୍ପଦିନ ପୂର୍ବରୁ ମହମ୍ମଦ ସାଲିଆଙ୍କ ଜଣେ ଭାଇ ଏହିପରି ରୋଗରେ ଆକ୍ରାନ୍ତ ହେବା ସହ ମୁତ୍ୟୁମୁଖରେ ପଡ଼ିଥିଲେ। ତାଙ୍କ ନିକଟରେ ମଧ୍ୟ ଏହିସବୁ ଲକ୍ଷଣ ଦେଖା ଦେଇଥିଲା। ସମସ୍ତେ କହିଲେ ଯେ ସେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ମୁତ୍ୟୁ ପରେପରେ ମହମ୍ମଦ ସାଲିଆ ମଧ୍ୟ ରୋଗଗ୍ରସ୍ତ ହେଲେ। ସମସ୍ତେ ଭାବିଲେ ମହମ୍ମଦ ସାଲିଆଙ୍କୁ ମଧ୍ୟ ମସ୍ତିଷ୍କ ଜ୍ୱର ହୋଇଛି। ଏପରିକି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସୁଦ୍ଧା। ଏବଂ ଜଣେ ମସ୍ତିଷ୍କ ରୋଗୀମନେକରି ତାଙ୍କର ଚିକିତ୍ସା କରା ଯାଉଥିଲା। ରୋଗୀ ସଂପର୍କୀୟଙ୍କ ଠାରୁ ଏସବୁ କଥାଶୁଣି ଡାକ୍ତର ଅନୁପ୍‌ ମହମ୍ମଦ ସାଲିଆଙ୍କ ଶରୀରରୁ ନୂଆ ନମୁନା ସବୁ ସଂଗ୍ରହ କରି ମଣିପାଳ ସେଣ୍ଟର ଫର୍‌ ଭାଇରାଲ ରିସର୍ଚ୍ଚକୁ ପରୀକ୍ଷା ପାଇଁ ପଠାଇଲେ। ପରେ ପରେ ସେଇଦିନ ରାତିରେ ହିଁ ମହମ୍ମଦ ସାଲିଆଙ୍କ ମୁତ୍ୟୁ ହୋଇଗଲା।

ପରେ ଯେତେବେଳେ ମଣିପାଳ ସେଣ୍ଟର ଫର୍‌ ଭାଇରାଲ ରିସର୍ଚ୍ଚରୁ ମହମ୍ମଦ ସାଲିଆଙ୍କ ନମୁନା ପରୀକ୍ଷା ରିପୋର୍ଟ ଆସିଲା ସେତେବେଳେ ଜଣା ପଡ଼ିଲା ଯେ ସେ ମସ୍ତିଷ୍କ ଜ୍ୱରରେ ନୁହେଁ ବରଂ ଭିନ୍ନ ଏକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ମୁତ୍ୟୁ ମୁଖରେ ପଡ଼ିଛନ୍ତି। ପରେ ଏହି ତିନିଜଣ ଡାକ୍ତର ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ ମହମ୍ମଦ ସାଲିଆଙ୍କ ମୁତ୍ୟୁ ପରେ ତାଙ୍କ ସାନ ଭାଇ ମହମ୍ମଦ ସିଦ୍ଦିକ୍‌ (୨୬), ଖୁଡ଼ୀ ମିରୁମ୍ମା (୫୦) ମଧ୍ୟ ସମାନ ଢ଼ଙ୍ଗରେ ମୁତ୍ୟୁମୁଖରେ ପଡ଼ିଛନ୍ତି। ପରେ ସେମାନେ ଏହିପରି ସମାନ ରୋଗରେ ଆକ୍ରାନ୍ତ ହୋଇ ମୁତ୍ୟୁବରଣ କରିଥିବା ଅନ୍ୟ ଜଣେ ରୋଗୀର ଶବକୁ ବ୍ୟବଚ୍ଛେଦ କରାଇ ଜାଣିବାକୁ ପାଇଲେ ଯେ ଏହା ମସ୍ତିଷ୍କ ଜ୍ୱର ନୁହେଁ; ବରଂ ନିପା ଭୂତାଣୁରେ ଆକ୍ରାନ୍ତ ଜନିତ ମୁତ୍ୟୁ। ଏଘଟଣା ଜାଣିବା ପରେ ସେମାନେ ଅବିଳମ୍ବେ ଘଟଣା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲେ ଏବଂ ସ୍ୱାସ୍ଥ୍ୟ ବିଭାଗ ନେଲା ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ। ଯାହା ଫଳରେ ବଞ୍ଚିଗଲା ଶହଶହ ଜୀବନ। ନହେଲେ ଏବେବି ନିପା ଭୂତାଣୁରେ ଆକ୍ରାନ୍ତ ରୋଗୀଙ୍କୁ ମସ୍ତିଷ୍କ ଜ୍ୱର ରୋଗୀ ଭାବି ଚିକିତ୍ସା ଚାଲିଥାଆନ୍ତା, ଆଉ ତାଣ୍ଡବ ରଚିଥାନ୍ତା ନିପା।

ସମ୍ବନ୍ଧିତ ଖବର