ଏହିପରି ଭାବେ ‘ଦବଙ୍ଗ ଆଇଏଏସ୍‌ ଅଫିସର’ଙ୍କ ନାମ ଖଣି ଦୁର୍ନୀତିରେ ଯୋଡ଼ି ହୋଇଗଲା, ତାଙ୍କର ଏପରି କିଛି କାମକୁ ଆଜି ବି ଝୁରି ହୁଅନ୍ତି ଲୋକେ

ଲକ୍ଷ୍ନୌ: ସୋସିଆଲ୍‌ ମିଡିଆରେ ‘ଦବଙ୍ଗ’ ଆଇଏଏସ୍‌ ଅଧିକାରୀ ଭାବେ ପରିଚିତା ବି ଚନ୍ଦ୍ରକଳାଙ୍କୁ ବେଆଇନ୍‌ ବାଲି ଚାଲାଣ ମାମଲାରେ ସିବିଆଇ ଜେରା କରିବା ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ନିର୍ଭୟା ଓ ସଚ୍ଚୋଟ ଆଇଏଏସ୍‌ ଅଧିକାରୀ ଭାବେ ଖ୍ୟାତି ଅର୍ଜନ କରଥିବା ଚନ୍ଦ୍ରକଳାଙ୍କ ନାମ ଦୁର୍ନୀତି ମାମଲାରେ ଯୋଡ଼ି ହେବା କଥା ସଭିଁଙ୍କୁ ଚକିତ କରିଛି। ଚନ୍ଦ୍ରକଳାଙ୍କ ବୟସ ଏବେ ୩୮ ବର୍ଷ। ୨୦୧୨ରୁ ୨୦୧୬ ମସିହା ମଧ୍ୟରେ ଅଖିଳେଶ ଯାଦବ ଶାସନ କ୍ଷମତାରେ ଥିବା ସମୟରେ ଘଟିଥିବା ଏହି ଖଣି ଦୁର୍ନୀତିରେ ଚନ୍ଦ୍ରକଳାଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

ହମିରପୁରରେ ଚନ୍ଦ୍ରକଳା ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ୩ ବର୍ଷ ଧରି ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ସମ୍ଭାଳି ଥିଲେ। ସେ ସମୟରେ ସମାଜବାଦୀ ପାର୍ଟିର ବିଧାୟକ ରମେଶ ମିଶ୍ରଙ୍କ ଦ୍ୱାରା ପରିଚାଳିତ ଏକ ଖଣି ସଂସ୍ଥାକୁ ଲିଜ୍‌ ପ୍ରଦାନ କରିଥିଲେ, ଯାହାକୁ ନେଇ ଏବେ ସେ ବିବାଦ ଘେର ଭିତରକୁ ଆସିଛନ୍ତି । ଏହି ଖଣି ବେଆଇନ୍‌ ଭାବେ ଦିଆଯାଇଥିଲା ବୋଲି ଅଭିଯୋଗ ହେବା ପରେ ତାଙ୍କୁ ଜିଲ୍ଲାରୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା।

ଚନ୍ଦ୍ରକଳା ସୋସିଆଲ୍‌ ମିଡିଆରେ ଖୁବ ସକ୍ରିୟ ରହୁଥିବା ଅଧିକାରୀଙ୍କ  ଭିତରୁ ଜଣେ। ସେ ଅନେକ ସମୟରେ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ୍‍ କରି ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ବୁଲନ୍ଦସର୍‌ର ଜିଲ୍ଲାପାଳ ଭାବେ କାର୍ଯ୍ୟକାଳ ଚିର ସ୍ମରଣୀୟ। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀର ଗୁଣବତ୍ତା ସହ ସାଲିସ କରୁଥିବା ସ୍ଥାନୀୟ ରାଜନେତାଙ୍କ ବିରୋଧରେ ସେ ପ୍ରଥମେ ସ୍ୱର ଉଠାଇ ସେ ସମୟରେ ବେଶ୍‌ ଚର୍ଚ୍ଚା ପାଲଟିଥିଲେ। ଏପରିକି ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ସେ ମାମଲା ରୁଜୁ କରିବେ ବୋଲି ଧମକ ଦେଇ ସୋସିଆଲ୍‌ ମିଡିଆରେ ଭିଡିଓ ସେୟାର୍‌ ମଧ୍ୟ କରିଥିଲେ। ପରେ ସେ ସତକୁ ସତ ସେ ଅଞ୍ଚଳର କଣ୍ଟ୍ରାକ୍ଟରଙ୍କ ବିରୋଧରେ ସ୍ଥାନୀୟ ପୁଲିସ୍‌ରେ ଅଭିଯୋଗ ଲେଖାଇଥିଲେ।

ସେହିପରି ବୁଲନ୍ଦସରରେ ଥିବା ସମୟରେ ତାଙ୍କ କାର୍ଯ୍ୟକଳାପ ସଂପର୍କରେ ବୁଲନ୍ଦସରର ବାସିନ୍ଦାଙ୍କ କହିବା ମୁତାବକ, ଗଣମାଧ୍ୟମ ସଂସ୍ଥା ସହ ତାଙ୍କ ବେଶ୍‌ ଭଲ ସଂପର୍କ ଥାଏ। ମାତ୍ର ତାଙ୍କ ସହ ଘଟିଥିବା ସେଲ୍‌ଫି ଘଟଣା ତାଙ୍କର ପୂରା ଭାବମୂର୍ତ୍ତିକୁ ଖରାପ କରି ଦେଇଥିଲା। ଘଟଣାଟି ହେଉଛି, ଚନ୍ଦ୍ରକଳାଙ୍କ ବିନା ଅନୁମତିରେ ଜଣେ ଯୁବକ ତାଙ୍କ ସହ ଏକ ସେଲ୍‌ଫି ନେବା ପରେ ସେ କ୍ରୋଧରେ ଆସି ଯୁବକଙ୍କୁ ପୁଲିସ୍‌ରେ ଧରାଇ ଦେଇଥିଲେ। ଏ ସଂପର୍କରେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପଚାରିବା ପରେ କୁଭାଷା ପ୍ରୟୋଗ କରି ସମସ୍ତଙ୍କ ଆଗରେ ଖରାପ ବନି ଯାଇଥିଲେ ଚନ୍ଦ୍ରକଳା। ଏହି ବିବାଦ ପରେ ତାଙ୍କୁ ମିରଟ ବଦଳି କରି ଦିଆଯାଇଥିଲା।

ମଥୁରାରେ ତାଙ୍କର ନିଯୁକ୍ତି ହେବା ପରେ ଚନ୍ଦ୍ରକଳା ନାରୀ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଗଲେ। ସେ ମଥୁରାରେ ବେଶି ଦିନ ରହିପାରି ନଥିଲେ। ହାମିରପୁରରୁ ମଥୁରା ଆସିବାର ମାତ୍ର ମାସ କେଇଟା ପରେ ତାଙ୍କର ବୁଲନ୍ଦସରକୁ ବଦଳି ହୋଇ ଯାଇଥିଲା। ତେବେ, ଜଣାଯାଏ ଯେ ମଥୁରାର ଲୋକେ ତାଙ୍କୁ ଜଣେ ନିର୍ଭୟା ଅଫିସର୍‌ ଭାବେ ବେଶ୍‌ ସମ୍ମାନ କରନ୍ତି।

ମୋଟାମୋଟି ଭାବେ କହିବାକୁ ଗଲେ ଯେଉଁ ଯେଉଁ ସ୍ଥାନରେ ବି ତାଙ୍କର ନିଯୁକ୍ତି ହୋଇଛି ସେ ଅଞ୍ଚଳର ଲୋକଙ୍କ ପ୍ରିୟ ପାଲଟି ଯାଇଥିଲେ ଚନ୍ଦ୍ରକଳା। ମହିଳା, ଶିଶୁଙ୍କୁ ବିଶେଷ ଦୃଷ୍ଟି ଦେବା ସହ ତାଙ୍କ ଅଧୀନସ୍ଥ ଅଞ୍ଚଳର ବିକାଶ ତାଙ୍କର ମୂଳ ଲକ୍ଷ୍ୟ ହେଉଥିଲା।

ସମ୍ବନ୍ଧିତ ଖବର