ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଆନ୍ତି କେମିତି

ନୂଆଦିଲ୍ଲୀ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମ୍‌ କୋର୍ଟରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରିଛନ୍ତି। କ୍ଷମତାସମ୍ପନ୍ନ କମିଟିର ମଞ୍ଜୁରି ନିଆନଯାଇ ତାଙ୍କୁ ଛୁଟି‌େର ପଠାଯାଇଛି। ସେ ଦର୍ଶାଇଛନ୍ତି ଯେ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି କମିଟି ଦ୍ବାରା ହୋଇଥାଏ ଏବଂ ବଦଳି ଅଥବା ବହିଷ୍କାର ପ୍ରସଙ୍ଗରେ ମଧ୍ୟ କମିଟିର ମଞ୍ଜୁରି ଆଣିବାକୁ ପଡ଼ିଥାଏ। କିନ୍ତୁ ତାଙ୍କ କ୍ଷେତ୍ରରେ ଏସବୁ ନିୟମ ଉଲ୍ଲଂଘନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଲୋକପାଳ ଆଇନ ଅନୁସାରେ କ୍ଷମତାସମ୍ପନ୍ନ କମିଟି ପକ୍ଷରୁ ସୁପାରିସ ପଠାଯିବା ପରେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇଥାନ୍ତି। ଏହି କମିଟି‌େର ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତି ଅଥବା ପ୍ରଧାନ ବିଚାରପତିଙ୍କ ଦ୍ବାରା ମନୋନୀତ ବିଚାରପତି ସଦସ୍ୟ ରହିଥାନ୍ତି। କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରହିଥାନ୍ତି। ପ୍ରଥମେ ଗୃହ ମନ୍ତ୍ରାଳୟ କିଛି ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ନାମ କାର୍ମିକ ଓ ତାଲିମ ବିଭାଗ ନିକଟକୁ ପଠାଇଥାଏ। ଏହାପରେ ଅଧିକାରୀଙ୍କ ବରିଷ୍ଠତା, ବିଶ୍ବସନୀୟତା, ଅଭିଜ୍ଞତା ଏବଂ ସଚ୍ଚୋଟତାକୁ ଭିତ୍ତିକରି ବିଭାଗ କ୍ଷମତାସମ୍ପନ୍ନ କମିଟି ନିକଟକୁ ନାମ ପଠାଇଥାଏ। ଏହାପରେ କମିଟି ଏ ବାବଦରେ ନିଷ୍ପତ୍ତି ନେଇ ଜଣକୁ ଚୟନ କରିଥାଏ ଏବଂ କେନ୍ଦ୍ର ସରକାର ତାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥାନ୍ତି। ଲୋକପାଳ ଆଇନ ପୂର୍ବରୁ ସିଭିସି ଆଇନ ଅନୁସାରେ ସେଣ୍ଟ୍ରା‌ଲ୍‌ ଭିଜିଲାନ୍ସ କମିସନର୍‌ ସିବିଆଇ ମୁଖ୍ୟଙ୍କୁ ନିଯୁକ୍ତି ଦେଉଥିଲେ।

ସମ୍ବନ୍ଧିତ ଖବର