ନିଜ ହେଲିକପ୍ଟର କେମିତି ଖସାଇଲା ବାୟୁସେନା

ଆମେରିକା, ବ୍ରିଟେନରେ ପୂର୍ବରୁ ଘଟିଛି ଏଭଳି ଘଟଣା

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ବାଲାକୋଟ୍ ଆକ୍ରମଣ ପରେ ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ବାୟୁସେନାର ଏକ ଏମଆଇ୧୭-ଭି୫ ହେଲିକପ୍ଟର ଧ୍ବଂସ ହୋଇଥିଲା। ଏଥିରେ ବିମାନରେ ଥିବା ବାୟୁସେନାର ୬ ଜଣଙ୍କ ସମେତ ତଳେ ଜଣେ ନାଗରିକଙ୍କୁ ମିଶାଇ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଏହି ବିମାନକୁ ଖସାଯାଇଥିବାରୁ ଏହି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଭାରତୀୟ ବାୟୁସେନାର ୫ ଜଣ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

ଏହି ଘଟଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ନିଜ ପକ୍ଷର ଯୁଦ୍ଧାସ୍ତ୍ରକୁ ସୁରକ୍ଷା ଦେବା ପାଇଁ ରହିଥିବା ଏକାଧିକ ପର୍ଯ୍ୟାୟର ବ୍ୟବସ୍ଥା ବିଫଳ ହୋଇଥିଲା। ତେଣୁ ଆଗାମୀ ଦିନରେ ଏଭଳି ପରିସ୍ଥିତି ଯେଭଳି ନଉପୁଜିବ ସେଥିପାଇଁ ଆମର ସେନାବାହିନୀକୁ ଯୁଦ୍ଧାସ୍ତ୍ର ପରିଚାଳନା ଦକ୍ଷତା ବଢ଼ାଇବାକୁ ପଡ଼ିବ। ଏହି ଯେଉଁ ଫ୍ରେଣ୍ଡଲି ଫାୟାର ବା ନିଜ ପକ୍ଷର କ୍ଷେପଣାସ୍ତ୍ର ଦ୍ବାରା ବିମାନ ଧ୍ବଂସ ହେଲା ତାହାର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଶ୍ରୀନଗର ବିମାନ ଘାଟିରେ ଯେଉଁମାନେ ବିମାନ ପ୍ରତିରକ୍ଷା ଦାୟିତ୍ବରେ ଥିଲେ ସେମାନେ ଏହି ବିମାନଟିକୁ ତାଙ୍କ ଘାଟିକୁ ଆକ୍ରମଣ କରିବା ପାଇଁ ଥିବା ଶତ୍ରୁପକ୍ଷର ଏକ କ୍ଷେପଣାସ୍ତ୍ର ବୋଲି ଭୁଲରେ ଭାବି ନେଇଥିଲେ। ପାକିସ୍ତାନ ବାୟୁସେନାର ଲଢ଼ୁଆ ବିମାନ ଏବଂ ଭାରତୀୟ ବାୟୁସେନା ବିମାନ ମଧ୍ୟରେ ସେହି ସମୟରେ ୧୦୦ କିମି ଦୂରରେ ନୌସେରା ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଯେତେବେଳେ ଗୋଡିଆଗୋଡ଼ି ଚାଲିଥିଲା ସେତି‌କିବେଳେ ଏହି ହେଲିକପ୍ଟରଟି ଧ୍ବଂସ ହୋଇଥିଲା। ବାୟୁସେନାର ପ୍ରତିରକ୍ଷା ବ୍ୟବସ୍ଥାକୁ ସତର୍କ ରଖାଯାଇଥିଲା। ଶତ୍ରୁପକ୍ଷରୁ ଆକ୍ରମଣର ସମ୍ଭାବନା ଥିବାରୁ ବାୟୁସେନାର କମାଣ୍ଡ୍ ଏବଂ କଣ୍ଟ୍ରୋଲ ବ୍ୟବସ୍ଥା ଅତ୍ୟଧିକ ଚାପରେ ମଧ୍ୟ ଥିଲା। ହେଲିକପ୍ଟର ଧ୍ବଂସର ଘଟଣାକ୍ରମ ଯାହା ରହିଥିଲା ସେଥିରୁ ନିଜ ପକ୍ଷର ଆକ୍ରମଣରେ ଏହା ନଷ୍ଟ ହୋଇଥିବା ସୂଚନା ପ୍ରଥମେ ମିଳିଥିଲା। କାରଣ ପାକିସ୍ତାନ ନୌସେନା ସେକ୍ଟରରେ ଭାରତର ବାୟୁସେନା ସହିତ ଆକାଶମାର୍ଗରେ ଲଢ଼େଇ ଖବରକୁ ପାକ୍ ବାୟୁସେନା ସ୍ବୀକାର କରିଥିଲେ ମଧ୍ୟ ହେଲିକପ୍ଟର ଧ୍ବଂସରେ ତାହାର ସଂପୃକ୍ତି ନାହିଁ ବୋଲି ସଫେଇ ଦେଇ ସାରିଥିଲା। ଫଳରେ ଭାରତୀୟ ସେନାର ଆକ୍ରମଣରେ ହିଁ ହେଲିକପ୍ଟର ଧ୍ବଂସ ହୋଇଥିବା ପ୍ରାୟତଃ ସ୍ପଷ୍ଟ ହୋଇଥିଲା।

ଏମଆଇ-୧୭ଭି୫ ହେଲିକପ୍ଟର ବିଶ୍ବରେ ଏକ ଶକ୍ତିଶାଳୀ ହେଲିକପ୍ଟର। ଏହି ହେଲିକପ୍ଟରକୁ ଦୀର୍ଘବର୍ଷ ହେଲା ବ୍ୟବହାର କରିଆସୁଛନ୍ତି। ଏହା ସାଧାରଣତଃ କୌଣସି ବୈଷୟିକ ତ୍ରୁଟି କାରଣରୁ ନଷ୍ଟ ହୋଇ ନଥାଏ। ଏହାବ୍ୟତୀତ ପ୍ରତ୍ୟକ୍ଷଦର୍ଶୀମାନେ ସେହି ସମୟରେ କହିଥିଲେ, ହେଲିକପ୍ଟରଟି ଧ୍ବଂସପ୍ରାପ୍ତ ହୋଇ ଧୂଆଁରେ ପରିଣତ ହେବା ପୂର୍ବରୁ ଆକାଶରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏଥିରୁ ହେଲିକପ୍ଟର ନିଜେ ନଷ୍ଟ ‌ନହୋଇ କୌଣସି ବାହ୍ୟ ବସ୍ତୁର ସଂଘାତ ଫଳରେ ଧ୍ବଂସ ହୋଇଥିବା ନେଇ ଦୃଢ଼ ଧାରଣା ସୃଷ୍ଟି ହୋଇଥିଲା। ତେବେ ବିଶ୍ବରେ ନିଜ ପକ୍ଷର ‌ଯୁଦ୍ଧାସ୍ତ୍ର ବା କ୍ଷେପଣାସ୍ତ୍ର ମାଡ଼ରେ ନିଜ ସେନାର ବିମାନ ବା ହେଲିକପ୍ଟର ଧ୍ବଂସ ହେବାର ଅନେକ ନିଜର ରହିଛି। ୧୯୯୪ରେ ଉପସାଗରୀୟ ଯୁଦ୍ଧ ସମୟରେ ଆମେରିକା ବାୟୁସେନାର ଏଫ-୧୫ ଲଢ଼ୁଆ ବିମାନର ଦୁଇ ଜଣ ପାଇଲଟ ତାଙ୍କ ଦେଶର ଦୁଇଟି ବ୍ଲାକ୍ ହକ୍ ହେଲିକପ୍ଟରକୁ ଇରାକର ବୋଲି ଭାବି ଆକ୍ରମଣ କରିଥିଲେ। ସେହି ହେଲିକପ୍ଟର ୨ଟିରେ ଥିବା ୨୬ ଜଣଙ୍କର ମୃତ୍ୟୁ ଆକାଶରେ ହିଁ ହୋଇଯାଇଥିଲା। ସେହିଭଳି ୧୯୮୨ରେ ଫକ୍‌ଲ୍ୟାଣ୍ଡ୍ସ ଯୁଦ୍ଧ ସମୟରେ ବ୍ରିଟିସ୍ ନୌସେନାର ଏକ ଜାହାଜ ତାଙ୍କ ନିଜ ଦେଶର ଏକ ସେନା ହେଲିକପ୍ଟରକୁ ମଧ୍ୟ ଆକ୍ରମଣ କରି ଧ୍ବଂସ କରିଥିଲା।

ସମ୍ବନ୍ଧିତ ଖବର