ସାବଧାନ! ପ୍ରଥମେ ‘ସୋସିଆଲ ମିଡିଆ ଟ୍ରାପ୍‌’ ଓ ପରେ ‘ହନି ଟ୍ରାପ୍‌’ରେ ଫସାଇ ଗୋପନୀୟ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରୁଛି ପାକିସ୍ତାନ

ସାମ୍ନାକୁ ଆସିଲା ସାଂଘାତିକ ସତ୍ୟ:

ନୂଆଦିଲ୍ଲୀ: ପାକିସ୍ତାନୀ ଗୁପ୍ତଚର ସଂସ୍ଥା ପାକିସ୍ତାନ ଇଣ୍ଟରସର୍ଭିସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ସଂପ୍ରତି ଭାରତୀୟ ଯବାନଙ୍କ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବରିଷ୍ଠ ଅଧିକାରୀଙ୍କୁ ‘ହନି ଟ୍ରାପ୍‌’ରେ ଫସାଇବା ପାଇଁ ସୋସିଆଲ ମିଡିଆ ଫେସ୍‌ବୁକ୍‌କୁ ମାଧ୍ୟମ କରିଛି। ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟିଂ ଉପରେ ହେଉଥିବା ଲାଇକ୍‌ ଓ କମେଣ୍ଟକୁ ଆଧାର କରି ଆଇଏସ୍‌ଆଇ ପ୍ରଥମେ ‘ସୋସିଆଲ ମିଡିଆ ଟ୍ରାପ୍‌’ରେ ଫସାଇଦେବା ପରେ ପରବର୍ତ୍ତୀ ସମୟରେ ଆଉ ପାଦେ ଆଗେଇ ଯାଇ ସେମାନଙ୍କୁ ‘ହନି ଟ୍ରାପ୍‌’ରେ ଫସାଇ ନିଜ ଲକ୍ଷ୍ୟ ହାସଲ କରି ନେଉଛି। ପାକିସ୍ତାନୀ ଆଇଏସ୍‌ଆଇର ଏହି ସାଂଘାତିକ କାର୍ଯ୍ୟ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌) ଆଇଜି ଅସୀମ ଅରୁଣ।

ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ଗତ ବୁଧବାର ନୋଇଡ଼ାରୁ ଗିରଫ ହୋଇଥିବା ବିଏସ୍‌ଏଫ୍‌ ଯବାନ ଅଚ୍ୟୁତାନନ୍ଦ ମିଶ୍ରକୁ ରିମାଣ୍ଡରେ ନେଇ କରାଯାଇଥିବା ଜେରା କାଳରେ ଆଇଏସ୍‌ଆଇର ଏହି ସାଂଘାତିକ କାର୍ଯ୍ୟକଳାପ ସଂପର୍କରେ ଜଣା ପଡ଼ିଥିବା କହିଛନ୍ତି ଏଟିଏସ୍‌ ଆଇଜି ଅସୀମ ଅରୁଣ।

ଜେରା କାଳରେ ଅଚ୍ୟୁତାନନ୍ଦ ସ୍ୱୀକାର କରି କହିଥିଲା ଯେ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିବା ତା’ ନିଜର ଏକ ଫଟୋ ଉପରେ ଜଣେ ଅଜଣା ଯୁବତୀ ‘ଲାଇକ୍‌’ କରିବା ସହ ‘କମେଣ୍ଟ’ କରିଥିଲା। ଏଥିରେ ଭଳିଯାଇ ପରବର୍ତ୍ତୀ ସମୟରେ ଅଚ୍ୟୁତାନନ୍ଦ ସଂପୃକ୍ତ ଯୁବତୀ ନିକଟକୁ ଏକ ‘ଫ୍ରେଣ୍ଡ ରିକ୍ୱେଷ୍ଟ’ ପଠାଇଥିଲା। ଯୁବତୀ ଜଣକ ଅଚ୍ୟୁତାନନ୍ଦ ପଠାଇଥିବା ‘ଫ୍ରେଣ୍ଡ ରିକ୍ୱେଷ୍ଟ’କୁ ‘ଆକ୍‌ସେପ୍ଟ’ କରିବା ପରେ ଉଭୟଙ୍କ ମଧ୍ୟରେ ଫେସ୍‌ବୁକ ଜରିଆରେ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଫେସ୍‌ବୁକ୍‌ରେ ଉଭୟଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହେବା ସହ ଯୁବତୀ ଜଣକ ଅଚ୍ୟୁତାନନ୍ଦକୁ ‘ସୋସିଆଲ ମିଡିଆ ଟ୍ରାପ୍‌’ରେ ଫସାଇଦେଇ ଥିଲା। ପରେ ଯୁବତୀ ଜଣକ ଅଚ୍ୟୁତାନନ୍ଦକୁ ଫେସ୍‌ବୁକରୁ ନେଇ ଆସିଥିଲା ହ୍ଵାଟସ୍‌ଆପ୍‌କୁ। ଯୁବତୀ ଜଣକ ନିଜର ଏକ ମୋବାଇଲ ନମ୍ବର ଅଚ୍ୟୁତାନନ୍ଦକୁ ଦେଇଥିଲା। ସେଇ ନମ୍ବରଟିକୁ ଅଚ୍ୟୁତାନନ୍ଦ ନିଜ ମୋବାଇଲରେ ସେଭ୍‌ କରିଦେବା ପରେ ଉଭୟଙ୍କ ମଧ୍ୟରେ ହ୍ଵାଟସ୍‌ଆପ୍‌ରେ ଚାଟିଂ ଆରମ୍ଭ ହେବା ସହ ‘ହନି ଟ୍ରାପ୍‌’ରେ ଫସି ଯାଇଥିଲା ଅଚ୍ୟୁତାନନ୍ଦ।

ପାକିସ୍ତାନୀ ଯୁବତୀ ‘ହନି ଟ୍ରାପ୍‌’ ଜରିଆରେ ଅଚ୍ୟୁତାନନ୍ଦଙ୍କୁ କରାୟତ କରିନେଇ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲା। ପରେ ଅଚ୍ୟୁତାନନ୍ଦ ଠାରୁ ବିଏସ୍‌ଏଫ୍‌ ୟୁନିଟର ଯୋଜନାର ସଂପୂର୍ଣ୍ଣ ବିବରଣୀ, ପୁଲିସ୍‌ ଏକାଡେମି ଓ ଟ୍ରେନିଂ ସେଣ୍ଟର ବାବଦରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦଲିଲ୍‌ ହାସଲ କରି ନେଇଥିଲା ସଂପୃକ୍ତା ଆଇଏସ୍‌ଆଇର ମହିଳା ଏଜେଣ୍ଟ। କଥା ଖାଲି ଏତିକିରେ ସୀମିତ ରହି ନଥିଲା; ଆଇଏସ୍‌ଆଇର ମହିଳା ଏଜେଣ୍ଟ (ହନି ଟ୍ରାପ୍‌)ରେ ଅଚ୍ୟୁନାନନ୍ଦଙ୍କୁ ଏମିତି ଫସାଇ ଦେଇଥିଲା ଯେ ସେ ବିଏସ୍‌ଏଫ୍‌ କ୍ୟାମ୍ପର ଫଟୋ ସହ ଅବସ୍ଥିତି, ବିଏସ୍‌ଏଫ୍‌ ଯବାନମାନେ ବ୍ୟବହାର କରୁଥିବା ବିଭିନ୍ନ ଯୁଦ୍ଧାସ୍ତ୍ର ଓ ଗୁଳିଗୋଳାର ଫଟୋ ଏବଂ ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସଂପୂର୍ଣ୍ଣ ଗୋପନୀୟ ତଥ୍ୟକୁ ସୁଦ୍ଧା ତାଙ୍କ ନିକଟକୁ ପଠାଇ ଦେଇଥିଲେ।

ପାକିସ୍ତାନର ଆଇଏସ୍‌ଆଇ ଏବେ କେବଳ ଭାରତୀୟ ସେନାର ଯବାନ ନୁହନ୍ତି ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କୁ ସମାନ ଢ଼ଙ୍ଗରେ ପ୍ରଥମେ ‘ସୋସିଆଲ ମିଡିଆ ଟ୍ରାପ୍‌’ରେ ଫସାଇଦେବା ପରେ ପରବର୍ତ୍ତୀ ସମୟରେ ବିଭିନ୍ନ ଉପାୟରେ ସେମାନଙ୍କୁ ‘ହନି ଟ୍ରାପ୍‌’ରେ ଫସାଇ ସେମାନଙ୍କ ଠାରୁ ଭାରତ ସଂପର୍କରେ ବହୁ ଗୋପନୀୟ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରି ନେଉଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର