ଥାଇ ଗୁମ୍ଫା ମଧ୍ୟରୁ ନାବାଳକ ଖେଳାଳିମାନଙ୍କ ଉଦ୍ଧାର ପାଇଁ ଚାଲିଥିବା ଅପରେସନ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏକ ଭାରତୀୟ କମ୍ପାନି

ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟାପକ ପ୍ରୟୋଗ ଯୋଗୁ ସଫଳ ହୋଇପାରିଥିଲା ଏହି ଅପରେସନ୍‌

ବ୍ୟାଙ୍କକ: ଥାଇଲାଣ୍ଡର ଏକ ଗୁମ୍ଫା ମଧ୍ୟରେ ଦୀର୍ଘ ୧୯ ଦିନ କାଳ ଫସି ରହିବା ପରେ ଉଦ୍ଧାର ପାଇଥିବା ଥାଇଲାଣ୍ଡ ‘ଓ୍ଵାଇଲ୍ଡ ବୋର୍ସ’ ଫୁଟବଲ ଟିମ୍‌ର ୧୨ ଜଣ ନାବାଳକ ଖେଳାଳି ଓ ସେମାନଙ୍କର କୋଚ୍‌ ପ୍ରାୟ ସପ୍ତାହେ କାଳ ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିବା ପରେ ଆଜି ହସ୍ପିଟାଲରୁ ମୁକ୍ତ ହୋଇଛନ୍ତି। ହସ୍ପିଟାଲରୁ ମୁକ୍ତ ହେବା ପରେ ଏହି ଖେଳାଳି ଓ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ମୁତୟନ ହୋଇଥିବା ଉଦ୍ଧାରକାରୀ ଦଳଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରା ଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଖେଳାଳିମାନେ ଗୁମ୍ଫାରେ ବନ୍ଦୀଥିବା ସମୟର ଅଭିଜ୍ଞତା ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଉଦ୍ଧାରକାରୀ ଦଳ ସଂପୂର୍ଣ୍ଣ ଅସାଧ୍ୟ ଓ ଅସମ୍ଭବ ମନେ ହେଉଥିବା ଏହି ଉଦ୍ଧାରକାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କିପରି ଉଦ୍ଧାରକାର୍ଯ୍ୟକୁ ସହଜସାଧ୍ୟ କରିଥିଲା ସେସଂପର୍କରେ ସାମ୍ବାଦିକମାନଙ୍କୁ ବିଶଦ ବିବରଣୀ ପ୍ରଦାନ କରିଥିଲେ।

ଏହି ଉଦ୍ଧାରକାର୍ଯ୍ୟରେ ଉଚ୍ଚକ୍ଷମତା ସଂପନ୍ନ ଡ୍ରୋନ୍‌ ଠାରୁ ଆରମ୍ଭ କରି ଉଚ୍ଚକ୍ଷମତା ସଂପନ୍ନ ଅଟୋ ପ୍ରାଇମ୍‌ ପମ୍ପ, ସ୍ୱୟଂଚାଳିତ ଯାନ, ରୋବଟସ୍‌ କିପରି ଭାବେ ପ୍ରମୁଖ ଭୂମିକା ଗ୍ରହଣ କରି ଅସାଧ୍ୟ ଓ ଅସମ୍ଭବ ମନେ ହେଉଥିବା ଏହି ଉଦ୍ଧାରକାର୍ଯ୍ୟକୁ ସଫଳତା ପୂର୍ବକ ଶେଷ କରିଥିଲେ ସେସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।

ଏସଂପର୍କରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି ଉଦ୍ଧାରକାର୍ଯ୍ୟ ଦାୟିତ୍ୱରେ ଥିବା ଜନୈକ ବରିଷ୍ଠ ଅଧିକାରୀ କହିଥିଲେ ଯେ ବ୍ରିଟିଶ୍‌ ବୁଡ଼ାଳିମାନେ (ଡାଇଭର) ଗୁମ୍ଫା ମଧ୍ୟରେ ପ୍ରବେଶ କରିଥିବା ବନ୍ୟାଜଳ ଭିତରେ ପଶି ପ୍ରଥମେ ଫସି ରହିଥିବା ଖେଳାଳିମାନଙ୍କୁ ଠାବ କରିଥିଲେ। ଏହାର ପରବର୍ତ୍ତୀ ସମୟରେ ଯୋଜନା ହୋଇଥିଲା କେଉଁ ବାଟ ଦେଇ ଉଦ୍ଧାରକାରୀ ଦଳ ଗୁମ୍ଫା ମଧ୍ୟରେ ଫସି ରହିଥିବା ଖେଳାଳିମାନଙ୍କ ନିକଟରେ ପହଞ୍ଚିବ। ଏଥିପାଇଁ ଉଚ୍ଚ କ୍ୟାମେରା ଲାଗିଥିବା ଡ୍ରୋନ୍‌ ସବୁକୁ ସଂପୃକ୍ତ ପର୍ବତ ଉପରେ ଉଡ଼ାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ଡ୍ରୋନ୍‌ଗୁଡ଼ିକ କିନ୍ତୁ ସେମାନଙ୍କର କାର୍ଯ୍ୟକୁ ସଫଳତା ପୂର୍ବକ ନିର୍ବାହ କରିଥିଲେ। ଗୁମ୍ଫା ମଧ୍ୟକୁ ପ୍ରବେଶ କରିବା ପାଇଁ ଏକାଧିକ ନିରାପଦ ପ୍ରବେଶ ପଥକୁ ଠାବ କରି ଫଟୋଚିତ୍ର ସହ ତାହାର ତାଲିକା ଉଦ୍ଧାରକାରୀ ଦଳକୁ ଦେବାରେ ସମର୍ଥ ହୋଇଥିଲେ।

ପରବର୍ତ୍ତୀ ସମୟରେ ସେଇସବୁ ପ୍ରବେଶ ପଥ ଦେଇ ପାଣି ମଧ୍ୟରେ ଚାଲିପାରୁଥିବା ସ୍ୱଂୟଚାଳିତ ଯାନ ସବୁକୁ ଗୁମ୍ଫା ମଧ୍ୟକୁ ପଠା ଯାଇଥିଲା। ସେମାନେ ଗୁମ୍ଫା ଭିତରେ ସ୍ଥିତିର ସମୀକ୍ଷା କରିବା ସହ ରିପୋର୍ଟ ଉଦ୍ଧାରକାରୀ ଦଳକୁ ଦେଇଥିଲେ। ଏହାପରେ ସ୍ୱୟଂଚାଳିତ ଯାନ ଓ ରୋବଟମାନଙ୍କ ଦ୍ୱାରା ଇସ୍ରାଏଲର ମାକ୍ସଟେକ୍‌ ନେଟ୍‌ଓ୍ଵାର୍କ ବ୍ୟବହାର କରାଯାଇ ଗୁମ୍ଫାରେ ଫସିଥିବା ଖେଳାଳି ଓ ଗୁମ୍ଫା ବାହାରେ ଥିବା ଉଦ୍ଧାରକାରୀ ଦଳ ସହ ଭିଡିଓ କନେକ୍ଟିଭିଟି ଦ୍ୱାରା ସିଧାସଳଖ କଥାବାର୍ତ୍ତା କରା ଯାଇଥିଲା।

ଏହାପରେ ଗୁମ୍ଫା ମଧ୍ୟରେ ପ୍ରବେଶ କରୁଥିିବା ପାଣିକୁ କଢ଼ା ଯିବା ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଭାରତୀୟ କମ୍ପାନି କିର୍ଲୋସ୍କର ବ୍ରଦର୍ସ ଲିମିଟେଡ୍‌। ଏହି କମ୍ପାନି ଦ୍ୱାରା ଉଦ୍ଧାର କାର୍ଯ୍ୟ ପାଇଁ ପଠା ଯାଇଥିବା ଉଚ୍ଚକ୍ଷମତା ସଂପନ୍ନ ଅଟୋ ପ୍ରାଇମ୍‌ ପମ୍ପଗୁଡ଼ିକ ସଂପୂର୍ଣ୍ଣ ଦକ୍ଷତାର ସହ ନିଜ କର୍ତ୍ତବ୍ୟ ସଂପାଦନ କରିଥିଲା। ଯେଉଁ ଗତିରେ ଗୁମ୍ଫା ମଧ୍ୟରେ ଜଳ ପ୍ରବେଶ କରୁଥିଲା, ତା’ଠାରୁ ଅଧିକ ବେଗରେ ଗୁମ୍ଫା ମଧ୍ୟରୁ ଜଳ ନିଷ୍କାସନ କରି ଗୁମ୍ଫା ମଧ୍ୟରେ ଫସି ରହିଥିବା ଖେଳାଳିମାନଙ୍କୁ ସୁରକ୍ଷିତ ରଖିଥିଲା। ଏସବୁ ବ୍ୟତୀତ ସାଟେଲାଇଟ୍‌ ନେଟ୍‌ଓ୍ଵାର୍କ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଏହି ଉଦ୍ଧାରକାର୍ଯ୍ୟ ପାଇଁ ଚାଲିଥିବା ଅପରେସନ୍‌ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି ଉଦ୍ଧାରକାର୍ଯ୍ୟ ଦାୟିତ୍ୱରେ ଥିବା ସଂପୃକ୍ତ ବରିଷ୍ଠ ଅଧିକାରୀ। ଏବଂ ଥାଇ ଅପରେସନ୍‌ ପ୍ରମାଣ କରି ଦେଇଛି ଯେ ଏଣିକି ଏଧରଣର ବଡ଼ ବଡ଼ ବିପର୍ଯ୍ୟୟର ପରିଚାଳନା ଓ ଉଦ୍ଧାର କାର୍ଯ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ବିନା ସଂପୂର୍ଣ୍ଣ ଅସମ୍ଭବ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର