ଆଧାର ନଥିବା ଲୋକଟିଏର କ’ଣ ଅସ୍ତିତ୍ୱ ନାହିଁ ? ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ସରକାର ଘାଇଲା

ନୂଆଦିଲ୍ଲୀ: ସବୁ ସାମାଜିକ ସୁରକ୍ଷା ଯୋଜନା ପାଇଁ ଆଧାର ବାଧ୍ୟତାମୂଳକ କରିବାକୁ ଉଦ୍ୟମ କରୁଛ । କିନ୍ତୁ ଦେଶରେ ଥିବା ବାସହୀନ ଲୋକମାନେ କିପରି ଆଧାର କାର୍ଡ ପାଇବେ ? ବାସହୀନ ଲୋକମାନଙ୍କର ଆଧାର କାର୍ଡ ନାହିଁ, ତା ଅର୍ଥ କଣ ସରକାରଙ୍କ ଲାଗି ତାଙ୍କର ଅସ୍ଥିତ୍ୱ ହିଁ ନାହିଁ ? ଏପରି ପ୍ରଶ୍ନ ପଚାରି ସରକାରଙ୍କ ଅସ୍ତବ୍ୟସ୍ତ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଆଧାର କାର୍ଡ ମାଧ୍ୟମରେ ସବୁ ସରକାରୀ କଲ୍ୟାଣମୂଳକ ସ୍କିମର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାବେଳେ ଏସବୁ ପ୍ରଶ୍ନବାଣର ସମ୍ମୁଖୀନ ହୋଇଛନ୍ତି । ଜଷ୍ଟିସ ମଦନ ବି ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସରକାର ଆଧାର କାର୍ଡକୁ ବାଧ୍ୟତାମୂଳକ କଲେ ଲକ୍ଷ ଲକ୍ଷ ବାସହୀନ ଲୋକ ସରକାରୀ ଯୋଜନାର ସୁଫଳ ପାଇବାକୁ ବଞ୍ଚିତ ହେବେ । କାରଣ ଆଧାର କାର୍ଡ ପାଇବାକୁ ସ୍ଥାୟୀ ବାସସ୍ଥାନ ଠିକଣା ନିହାତି ଆବଶ୍ୟକ ।

 

ସରକାରଙ୍କ ପକ୍ଷ ରଖି ଅତିରିକ୍ତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସହରରେ ଥିବା ବାସହୀନ ଲୋକମାନଙ୍କର ଗାଁରେ ଏକ ସ୍ଥାୟୀ ଠିକଣା ରହିଛି । ସେହି ସ୍ଥାୟୀ ଠିକଣା ଭିତ୍ତିରେ ସେମାନେ ଆଧାର କାର୍ଡ ପାଇପାରିବେ । ତେବେ ଏ ସଂପର୍କରେ ୟୁଡିଏଆଇଠାରୁ ଅଧିକ ସୂଚନା ସଂଗ୍ରହ ଲାଗି ସେ କୋର୍ଟଙ୍କ ଠାରୁ ଆଉ କିଛି ଦିନ ସମୟ ମାଗିଛନ୍ତି ।

୨୦୧୧ର ଜନଗଣନା ଅନୁସାରେ ଭାରତରେ ପ୍ରାୟ ୧୭ କୋଟି ୭୩ ଲକ୍ଷ ବାସହୀନ ଲୋକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୫୨.୯ ପ୍ରତିଶତ ସହରରେ ଓ ୪୭.୧ ପ୍ରତିଶତ ଗାଁରେ ରହୁଛନ୍ତି ।

ସମ୍ବନ୍ଧିତ ଖବର