କେମିତି କାମ କରୁଛି ମୋଦି ଯାଦୁ

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିିର୍ବାଚନରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ଆଶାତୀତ ସଫଳତା ପାଇ ଦିଲ୍ଲୀ ଦରବାରକୁ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ(ଉପା)ଠାରୁ ଛଡ଼ାଇନେଇଥିଲା। ବିଜେପିର ପ୍ରଚାର ମୁଖ୍ୟ ସାଜିଥିବା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ରଣକୌଶଳ ଯୋଗୁଁ ଏନ୍‌ଡିଏ ପୁଣି ଶାସନଭାର ହାତେଇ ନେଇଥିଲା। ନାନା ପ୍ରକାର ବିରୋଧ, ପ୍ରତିବାଦ ଏବଂ ସମାଲୋଚନାକୁ ଆଡ଼ କରି ମୋଦିଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଲୋକପ୍ରିୟତା ହିଁ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଇଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଅପରପକ୍ଷେ, ସାଧାରଣ ନିର୍ବାଚନ ସହ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ମଧ୍ୟରୁ କେବଳ ଅରୁଣାଚଳପ୍ରଦେଶକୁ ଛାଡ଼ିଦେଲେ ଆଉ କେଉଁଠି(ଓଡ଼ିଶା, ସିକିମ୍‌, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ) ମୋଦି ମ୍ୟାଜିକ୍‌ର ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ, ସାଧାରଣ ନିର୍ବାଚନ ପରେ ୨୦୧୪ ଶେଷ ଭାଗ ଆଡ଼କୁ ହୋଇଥିବା ହରିଆଣା ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିଥିବା ବେଳେ ମହାରାଷ୍ଟ୍ର ଏବଂ ଜମ୍ମୁ କଶ୍ମୀରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଶାସନଭାର ସମ୍ଭାଳିଥିଲା। ତେବେ ୨୦୧୫ରେ ହୋଇଥିବା ଦିଲ୍ଲୀ ନିର୍ବାଚନରେ ନା ମୋଦିଙ୍କ ଲୋକପ୍ରିୟତା ପ୍ରତିଫଳିତ ହୋଇଥିଲା ନା ତଥାକଥିତ ବିଜେପି ହାଓ୍ଵାରେ ଭୋଟର ତରଳିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଉପରେ ଦିଲ୍ଲୀବାସୀ ପୂରା ଭରସା ରଖିଥିଲେ। ମୋଟ ୭୦ ଆସନରୁ ଆପ୍‌ ୬୭ଟି ପୋଛିନେଇଥିବା ବେଳେ ବିଜେପିକୁ ବାକି ୩ଟିରେ ସୀମିତ ହେବାକୁ ପଡ଼ିଥିଲା।

ସେହିପରି ୨୦୧୬ରେ ଦେଖିବାକୁ ମିଳିଥିଲା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। ଏଥିରେ କେବଳ ଆସାମକୁ ହିଁ ବିଜେପି ଦଖଲ କରିବାରେ ସକ୍ଷମ ହୋଇଥିବା ବେଳେ ପୁଡୁଚେରିରେ କଂଗ୍ରେସ ଶାସନକୁ ବଜାୟ ରଖିଥିଲା। ତେବେ ତାମିଲନାଡୁରେ ଜୟଲଳିତାଙ୍କ ଏଆଇଏଡିଏମ୍‌କେ, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏବଂ କେରଳରେ ଏଲ୍‌ଡିଏଫ୍‌ ଆଶାତୀତ ବିଜୟ ହାସଲ କରିଥିବା ବେଳେ ବିଜେପିର ଫଳାଫଳ ନଗଣ୍ୟ ରହିଥିଲା। ତେବେ ୨୦୧୭ ବିଜେପି ପାଇଁ ପୁଣି ସଫଳତା ଆଣିଦେଇଥିଲା। ବର୍ଷର ପ୍ରଥମାର୍ଦ୍ଧରେ ହୋଇଥିବା ନିର୍ବାଚନରେ ଯଦିଓ ପଞ୍ଜାବରେ କଂଗ୍ରେସ ହିଁ ବିଜେପି ହାତରୁ ଶାସନକୁ ଛଡ଼ାଇନେଇଥିଲା, ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ନିଜ ଗୋଡ଼ରେ ଶାସନ କ୍ଷମତା ଦଖଲ କରିବା ସହ ଗୋଆ ଏବଂ ମଣିପୁରରେ ମେଣ୍ଟ ଶାସନ କରିବାକୁ ସକ୍ଷମ ହୋଇଛି। ତେବେ ସମସ୍ତଙ୍କ ଆଖି ଏବେ ଗୁଜରାଟ ନିର୍ବାଚନ ଉପରେ ରହିଛି। ଏହାର ଫଳାଫଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅସଲ ଲିଟ୍‌ମସ୍‌ ପରୀକ୍ଷା କରିବା ସହ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମୁଖଶାଳା ସଦୃଶ ହେବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର