ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ସେଲ୍‌ଫି ନେବାର ସୌଭାଗ୍ୟ ପାଇଥିବା ୯ବର୍ଷର ବାଳକଟି କିଏ?

ନୂଆଦିଲ୍ଲୀ : ଗତକାଲି ଆମେରିକାର ହଷ୍ଟନ ସହରରେ ହାଓଡ଼ି ମୋଦୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୋଦୀ ଓ ଟ୍ରମ୍ପଙ୍କ ବନ୍ଧୁତାର ଝଲକ ଦେଖିବାକୁ ମିଳିଥିଲା । ଦୁହେଁ ହାତରେ ହାତ ରଖି କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିଥିଲେ । ତେବେ ଏହି ସମୟରେ ଜଣେ ୯ବର୍ଷୀୟ ବାଳକ କରିଥିବା କାମ ଆଜି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକା ସାଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ସହ ସେଲ୍‌ଫି ନେବାର ସୁଯୋଗ ପାଇଥିବାରୁ ଏବେ ସାରା ଦେଶର ଲୋକେ ବାଳକକୁ ଭାଗ୍ୟବାନ୍‌ ବୋଲି କହିବା ଆରମ୍ଭ କରିଛନ୍ତି । ବାଳକଟିର ନାଁ ସାତ୍ତ୍ୱିକ୍‌ ହେଗ୍‌ଡେ ବୋଲି ଜଣା ପଡ଼ିଛି ।

ପିଏମ୍‌ଓ ଇଣ୍ଡିଆ ଟୁଇଟ୍‌ର ଆକାଉଣ୍ଟରେ ସେୟାର କରାଯାଇଥିବା ଭିଡିଓରେ ଦେଖା ଯାଇଛି କି, ମଞ୍ଚ ଉପରକୁ ଯିବା ପୂର୍ବରୁ କିଛି ଭାରତୀୟ ପିଲାମାନେ ପାରମ୍ପରିକ ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଠିଆ ହୋଇଛନ୍ତି । ମୋଦୀ ଏବଂ ଟ୍ରମ୍ପ ସେମାନଙ୍କ ସହ କଥା ହୋଇ ଆଗକୁ ବଢ଼ୁଥିବା ବେଳେ ଟ୍ରମ୍ପ ସାତ୍ତ୍ୱିକ୍‌ଙ୍କ ହାତରେ ମୋବାଇଲ୍‌ ଫୋନ ଦେଖି ଅଟକି ଯାଉଛନ୍ତି । ଟ୍ରମ୍ପଙ୍କୁ ଅଟକିବା ଦେଖି ମୋଦୀ ମଧ୍ୟ ଅଟକୁଛନ୍ତି । ଏ ସମୟରେ ସାତ୍ତ୍ୱିକ୍‌ ନିଜ ପାଖରେ ଥିବା ଫୋନ ସାହାଯ୍ୟରେ ଦୁହିଁଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁମତି ମାଗୁଛନ୍ତି । ପରେ ଦୁହେଁ ରାଜି ହେବାରୁ ସାତ୍ତ୍ୱିକ୍‌ ମୋଦୀଜି ଓ ଟ୍ରମ୍ପଙ୍କ ସହ ସେଲ୍‌ଫି ଉଠାଉଛନ୍ତି । ଏବେ ସେଲ୍‌ଫିଟି ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି ।

ସାତ୍ତ୍ୱିକ୍‌ କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ରହୁଥିବା ବେଳେ ତାଙ୍କ ବାପାଙ୍କ ନାଁ ପ୍ରଭାକର ହେଗ୍‌ଡେ ଓ ମା’ଙ୍କ ନାଁ ମେଧା ହେଗ୍‌ଡେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର