ଓପିନିଅନ ପୋଲ: କର୍ଣ୍ଣାଟକରେ ଝୁଲା ବିଧାନସଭା

ନୂଆଦିଲ୍ଲୀ: ମଇ ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ରଣାଙ୍ଗନରେ ଓହ୍ଲାଇଛନ୍ତି । ଏହାକୁ ଚଳିତ ବର୍ଷର ଏକ ହାଇପ୍ରୋଫାଇଲ ନିର୍ବାଚନ ବୋଲି କୁହାଯାଉଛି । କର୍ଣ୍ଣାଟକ କଂଗ୍ରେସ ହାତରେ ଥିବା ମାତ୍ର ଦୁଇଟି ବଡ଼ ରାଜ୍ୟ ମଧ୍ୟରୁ ଗୋଟିଏ । ଏଣୁ କଂଗ୍ରେସ ଏହାକୁ ବଜାୟ ରଖିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି । ଅନ୍ୟପକ୍ଷରେ ୨୦୧୯ ନିର୍ବାଚନ ପୂର୍ବରୁ ଏହି ରାଜ୍ୟକୁ ଜିତି ବିଜେପି ନିଜର ପତିଆରା ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଛି । ଏସବୁ ଦୃଷ୍ଟିରୁ ଏହି ନିର୍ବାଚନ ଉପରେ ଲୋକଙ୍କ ନଜର ରହିଛି । କିନ୍ତୁ ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ ହୋଇଥିବା ଏକ ଓପିନିଅନ ପୋଲ ବା ମତାମତ ସର୍ବେକ୍ଷଣ ଅନୁସାରେ କର୍ଣ୍ଣାଟକ ନିର୍ବାଚନରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ । ଏହି ସର୍ଭ ଅନୁସାରେ କଂଗ୍ରେସ ୯୦ରୁ ୧୦୧ଟି ଆସନ ପାଇବାକୁ ଥିବାବେଳେ ବିଜେପି ୭୮ରୁ ୮୬ଟି ଆସନ ପାଇବ । ୨୨୫ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ କଂଗ୍ରେସର ୧୨୨ଟି ଆସନ ଥିବାବେଳେ ବିଜେପିର ୪୦ଟି ଆସନ ରହିଛି ।

ଅନ୍ୟପକ୍ଷରେ ଏହି ନିର୍ବାଚନରେ ଦେବେଗୌଡ଼ାଙ୍କ ଜନତା ଦଳ ସେକ୍ୟୁଲାର କିଙ୍ଗମେକର ହେବାର ସମ୍ଭାବନା ରହିଛି । ଜେଡିୟୁ ୩୪ରୁ ୪୩ଟି ଆସନ ପାଇବ । ଅର୍ଥାତ ଜେଡିୟୁ ଯାହାକୁ ସମର୍ଥନ କରିବ ସେ ସରକାର ଗଠନ କରିବ ।

ସମ୍ବନ୍ଧିତ ଖବର