ତିତଲିଠାରୁ ଆହୁରି ଭୀଷଣ ଏକ ମହାବାତ୍ୟା ମୁହାଁଇଛି ଆମେରିକା ଉପକୂଳ ଆଡକୁ

ଭୁବନେଶ୍ୱର : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ତିତଲିକୁ ନେଇ ସାରା ଓଡ଼ିଶା ଥରହର ହେଉଥିବାବେଳେ ଏକ ମହାକାୟ ମହାବାତ୍ୟା ଏବେ ଆମେରିକାର ଫ୍ଲୋରିଡା ଉପକୂଳ ଆଡେ ମୁଁହାଇଛି । ଏହାକୁ କ୍ୟାଟେଗୋରୀ –୪ ବାତ୍ୟାର ମାନ୍ୟତା ଦିଆଯାଇଛି । ଆଉ କିଛି ସମୟ ପରେ ଏହା ସ୍ଥଳଭାଗ ଛୁଇଁବାକୁ ଯାଉଥିବାବେଳେ ଏବେ ସେଠାରେ ପବନର ବେଗ ଘଣ୍ଟାପ୍ରତି ୨୨୫ କିଲୋମିଟର ରହିଛି । ଏହା ଏହି ବେଗରେ ସ୍ଥଳଭାଗ ଛୁଇଁଲେ ତାହା ଫ୍ଲୋରିଡାକୁ ଆସିଥିବା ସବୁଠାରୁ ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଏପରିକି ଏହା କ୍ୟାଟେଗୋରୀ-୫ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ନାସା କହିଛି । ଏପରି ହେଲେ ତାହା ଓଡ଼ିଶାକୁ ୧୯୯୯ ମସିହାରେ ଆସିଥିବା ମହାବାତ୍ୟାର ସମକକ୍ଷ ହୋଇଯିବ । ଏଥିରୁ ଏହି ବାତ୍ୟା କେତେ ଭୟଙ୍କର ହେବାକୁ ଯାଉଛି ତାହା ସହଜେ ଅନୁମେୟ । ଏହି ବାତ୍ୟା ପ୍ରଭାବରେ ଆମେରିକାର ଫ୍ଲୋରିଡା ସ୍ଥିତ ପେଣ୍ଟହାଣ୍ଡଲରେ ଇତି ମଧ୍ୟରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

 

କୌଣସି ସାମୁଦ୍ରିକ ବାତ୍ୟାରେ ପବନର ବେଗ ୨୨୫ରୁ ୨୭୯ କିଲୋମିଟର ପର୍ଯ୍ୟନ୍ତ ରହିଲେ ତାହାକୁ କ୍ୟାଟେଗୋରୀ-୪ ବାତ୍ୟା ବୋଲି କୁହାଯାଏ । ସେହିପରି ବାତ୍ୟା ପବନର ବେଗ ୯୦ରୁ ୧୨୫ କିଲୋମିଟର ମଧ୍ୟରେ ରହିଲେ ତାହାକୁ କ୍ୟାଟେଗୋରୀ-୧ ବାତ୍ୟା ବୋଲି କୁହାଯାଏ । ତେବେ ଆସନ୍ତା କାଲି ତିତଲିର ବେଗ ଘଣ୍ଟାପ୍ରତି ୧୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଥିବାରୁ ଆସନ୍ତା କାଲି ତିତଲି ଏକ କ୍ୟାଟେଗୋରୀ-୨ ବାତ୍ୟାରେ ପରିଣତ ହେବ ।

ସମ୍ବନ୍ଧିତ ଖବର