ବିନା ଖାଦ୍ୟରେ ୧୦୦ କିମି ଚାଲିଲେ ଗର୍ଭବତୀ ମହିଳା ଓ ସ୍ବାମୀ

ମିରଟ୍‌: ଉତ୍ତରପ୍ରଦେଶର ଶାହରନପୁର୍‌ରେ ଜଣେ ୮ ମାସର ଗର୍ଭବତୀ ମହିଳ‌ା ଏବଂ ତାଙ୍କ ସ୍ବାମୀ ନିଜ ଘରେ ପହଞ୍ଚିବାପାଇଁ ଦୀର୍ଘ ୧୦୦ କିମି ବାଟ ଚାଲିଛନ୍ତି। ଉକ୍ତ ଗର୍ଭବତୀ ମହିଳାଙ୍କ ସ୍ବାମୀ ଶାହରନପୁରର ଯେଉଁ ଫ୍ୟାକ୍ଟ୍ରିରେ କାମ କରୁଥିଲେ ତାହା ଲକ୍‌ଡାଉନ୍‌ ଘୋଷଣା ହେବାପରେ ବନ୍ଦ ହୋଇଗଲା। ରହିବା ଓ ଖାଦ୍ୟ ବ୍ୟବସ୍ଥା ନଥିବାରୁ ଏହି ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ବାମୀ ଶାହରନପୁରଠାରୁ ବୁଲନ୍ଦସହରସ୍ଥିତ ସେମାନଙ୍କ ଘରେ ପହଞ୍ଚିବାପାଇଁ ଚାଲିଚାଲି ଯିବାପାଇଁ ନିଷ୍ପତ୍ତି ନେଲେ। ଦୁଇ ଦିନ ଧରି ଦୀର୍ଘ ୧୦୦ କିମି ବାଟ ସେମାନେ ବିନା ଖାଦ୍ୟରେ ଚାଲିଲେ । ଶେଷରେ ମିରଟ୍‌ ବସ୍‌ ଷ୍ଟା‌ଣ୍ଡ୍‌ ନିକଟରେ ପହଞ୍ଚିବାପରେ ସେମାନଙ୍କୁ ମିରଟ୍‌ର ନବୀନ କୁମାର ଏବଂ ରବିନ୍ଦ୍ର ନାମକ ଦୁଇ ଜଣ ବ୍ୟକ୍ତି ଚିହ୍ନଟ କରିଥିଲେ। ସେମାନଙ୍କ ହସ୍ତକ୍ଷେପ ପରେ କିଛି ସ୍ଥାନୀୟ ବ୍ୟକ୍ତି ଉକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ଖାଦ୍ୟ ଦେଇଥିଲେ ଏବଂ ପରେ ସେମାନଙ୍କୁ ‌ ବୁଲନ୍ଦସହରର ନିକଟସ୍ଥ ଅମରଗଡ଼ ଫେରିବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ପ୍ରବାସୀ ଶ୍ରମିକଙ୍କ ଏଭଳି ଦୁର୍ଦ୍ଦଶାକୁ ରୋକିବା ପାଇଁ ଏବେ ସରକାର ବିଭିନ୍ନ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛନ୍ତି।

ସମଗ୍ର ଭାରତରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨୨୭ଟି ନୂଆ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୨ ଛୁଇଁଛି । ସମଗ୍ର ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୭୮୧୫ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର