ମଟନ୍‌ ସୁପ୍‌ରୁ ଧରାପଡ଼ିଲା ପତ୍ନୀର ଜଘନ୍ୟ କାଣ୍ଡ

ସ୍ୱାମୀକୁ ହତ୍ୟା ପରେ ପ୍ରେମିକା ଉପରେ ଏସିଡ ଢାଳିଥିଲେ

ହାଇଦ୍ରାବାଦ୍‌: ଏହା କୌଣସି ଫିଲ୍ମ କାହାଣୀ ନୁହେଁ, ସଂପୂର୍ଣ୍ଣ ସତ ଘଟଣା। ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାର ଜଣେ ୨୭ ବର୍ଷୀୟା ମହିଳା ସ୍ୱାତୀ ରେଡ୍ଡି ତାଙ୍କ ପ୍ରେମିକାଙ୍କ ସହ ମିଶି ସ୍ୱାମୀଙ୍କୁ ପ୍ରଥମେ ହତ୍ୟା କରିଥିଲେ। ପରେ ନିଜ ପ୍ରେମିକଙ୍କୁ ପରିବାର ସଦସ୍ୟଙ୍କ ଆଗରେ ସ୍ୱାମୀର ପରିଚୟ ଦେବାଲାଗି ତା’ ମୁହଁରେ ଏସିଡ୍‌ ପକାଇ ସମ୍ପୂର୍ଣ୍ଣ ରୂପେ ବିକୃତ କରିଦେଇଥିଲେ। ପ୍ଲାଷ୍ଟିକ୍‌ ସର୍ଜରୀ ଦ୍ୱାରା ପ୍ରେମିକଙ୍କ ଚେହେରାରେ ପରିବର୍ତ୍ତନ ଆଣି ତାକୁ ନିଜ ସ୍ୱାମୀର ପରିଚୟ ଦେଇଥିଲେ ଉକ୍ତ ମହିଳା। କିନ୍ତୁ ସତ କେବେ ଲୁଚି ରହେନା। ଉକ୍ତ ଅପରାଧୀ ପତ୍ନୀର ସବୁ ଜଘନ୍ୟ କାରନାମା ଧରା ପଡ଼ିଗଲା। ତେବେ ଏହି ଘଟଣା କେବଳ ମଟନ୍‌ ସୁପ୍‌ ପାଇଁ ପର୍ଦ୍ଦାଫାସ ହୋଇଥିଲା। ତେଲେଙ୍ଗାନାର ସ୍ୱାତୀ ରେଡ୍ଡି ପେସାରେ ଜଣେ ନର୍ସ। ସେ ତାଙ୍କ ସ୍ୱାମୀ ସୁଧାକର ରେଡ୍ଡିଙ୍କୁ ତାଙ୍କ ପ୍ରେମିକ ରାଜେଶ ସହ ମିିଶି ହତ୍ୟା କରିଥିଲେ। ପ୍ରଥମେ ସୁଧାକରଙ୍କୁ ନିଶ୍ଚେତକ ଦେବାପରେ ସେମାନେ ତାଙ୍କ ମୁଣ୍ଡକୁ ଖୁବ୍‌ ଜୋରରେ ଏକ ରଡ୍‌ରେ ପିଟିଦେଇଥିଲେ। ଏଥିରେ ସୁଧାକରଙ୍କ ମୃତ୍ୟୁ ମୃତ୍ୟୁ ହେବାପରେ ଉଭୟ ସ୍ୱାତୀ ଏବଂ ରାଜେଶ ତାଙ୍କୁ ନେଇ ଜଙ୍ଗଲରେ ପୋଡ଼ି ଦେଇଥିଲେ। ପରେ ସ୍ୱାତୀ ତା’ ପ୍ରେମିକ ରାଜେଶର ମୁହଁକୁ ଏସିଡ୍‌ ପକାଇ ପୋଡ଼ି ଦେଇଥିଲୋ ଏବଂ ତାଙ୍କୁ ସ୍ୱାମୀ ଭାବେ ଉପସ୍ଥାପନ କରିଥିଲେ ।

ରାଜେଶଙ୍କ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି ସେ ତାଙ୍କ ସ୍ୱାମୀଙ୍କ ପରିବାର ସମ୍ମୁଖରେ ପ୍ରେମିକ ରାଜେଶକୁ ସୁଧାକରଙ୍କ ପରିଚୟ ଦେବାକୁ ଚାହିଁଥିଲେ। ସୁଧାକରଙ୍କ ପରିବାର ସଦସ୍ୟ ମଧ୍ୟ ସ୍ୱାତୀଙ୍କ କଥାରେ ବିଶ୍ୱାସ କରି ପ୍ଲାଷ୍ଟିକ୍‌ ସର୍ଜରୀ ପାଇଁ ଚିକିତ୍ସା ଆରମ୍ଭ କରିଥିଲୋ। ତେବେ ଚିକିତ୍ସା ପର୍ଯ୍ୟାୟରେ ହିଁ ସ୍ୱାତୀଙ୍କ କେଳେଙ୍କାରୀ ଧରା ପଡ଼ିଥିଲା। ସୁଧାକର ନାମରେ ଚିକିତ୍ସିତ ହେଉଥିବା ରାଜେଶଙ୍କୁ ଯେତେବେଳେ ମଟନ୍‌ ସୁପ୍‌ ଦିଆଯାଇଥିଲା ସେ ସମୟରେ ସେ ହସ୍ପିଟାଲ ଷ୍ଟାଫଙ୍କୁ କହିଥିଲେ ଯେ ସେ ନିରାମିଷାଶୀ। କିନ୍ତୁ ବାସ୍ତବରେ ସୁଧାକର ସମ୍ପୂର୍ଣ୍ଣ ଆମିଷାଶୀ ଥିବାରୁ ରାଜେଶଙ୍କର ଏହି କଥା ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଏହାବାଦ୍‌ ସୁଧାକରଙ୍କ ପରିବାର ସଦସ୍ୟ କିଛି ସମ୍ପର୍କୀୟଙ୍କ ପରିଚୟ ବିଷୟରେ ପଚାରିବାରୁ ସେ ନିରବ ରହିଥିଲେ। ସୁଧାକରଙ୍କ ପରିବାର ସଦସ୍ୟ ଏ ନେଇ ପୁଲିସରେ ଖବର ଦେଇଥିଲେ। ପୁଲିସ ରାଜେଶଙ୍କର ଫିଙ୍ଗରପ୍ରିଣ୍ଟ୍‌କୁ ସୁଧାକରଙ୍କ ଆଧାର ସହ ମ୍ୟାଚ୍‌ କରିଥିଲା କିନ୍ତୁ ଆଧାର ବାୟୋମେଟ୍ରିକ୍‌ ମ୍ୟାଚ୍‌ ନକରିବାରୁ ପୁଲିସ ଜାଣିପାରିଲା ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ସୁଧାକର ନୁହନ୍ତି। ଶେଷରେ ପୁଲିସ ଜେରାରେ ସ୍ୱାତୀ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ଏଥିସହ ତାମିଲ ଫିଲ୍ମ ‘ୟେବାଡ଼ୁ’ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି କାଣ୍ଡ କରିଛି ବୋଲି କହିଥିଲା।

ସମ୍ବନ୍ଧିତ ଖବର