ଏଣିକି ଦାମ୍ପତ୍ୟ କଳହ ମାମଲାରେ ଅଭିଯୋଗ ଆଧାରରେ ସ୍ୱାମୀ ଘରର ଲୋକଙ୍କୁ ଆଉ ଗିରଫ କରି ପାରିବ ନାହିଁ ପୁଲିସ୍‌: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଏଣିକି ଦାମ୍ପତ୍ୟ କଳହ, ବଧୂ ନିର୍ଯାତନା ଏପରିକି ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା ଗୁଡ଼ିକରେ ଅଭିଯୋଗ ମିଳିବା ମାତ୍ରେ ଅଭିଯୋଗର ଆଧାରରେ ଆଉ ସ୍ୱାମୀର ଘରର କୌଣସି ଲୋକଙ୍କୁ ସଙ୍ଗେସଙ୍ଗେ ପୁଲିସ୍‌ ଗିରଫ କରିପାରିବ ନାହିଁ। ଏପରିକି ସ୍ୱାମୀର ନିକଟ କିମ୍ବା ଦୂର ସଂପର୍କୀୟମାନଙ୍କ ବିରୋଧରେ ଅଭିଯୋଗ ଥିଲେ ସୁଦ୍ଧା ବିନା ତଦନ୍ତରେ କିମ୍ବା ବିନା ବଳିଷ୍ଠ ପ୍ରମାଣରେ ସେମାନଙ୍କୁ ମଧ୍ୟ ଗିରଫ କରିପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଗତ ବୁଧବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଦେ ଓ ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ଏପରି ମାମଲାଗୁଡ଼ିକର ପ୍ରାଥମିକ ସ୍ତରରେ ବିଚାର କରୁଥିବା ତଳ କୋର୍ଟଗୁଡ଼ିକ ମଧ୍ୟ ଏପ୍ରକାର ମାମଲାରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଏସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମ୍‌ କୋର୍ଟ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏବେ ଯୌତୁକ ନିର୍ଯାତନା ଆଇନ୍‌କୁ ବହୁ ମହିଳା ଏକ ଢ଼ାଲ ଭାବେ ବ୍ୟବହାର କରୁଛନ୍ତି। ଯୌତୁକ ନିର୍ଯାତନା ନହୋଇ ସାମାନ୍ୟ ଦାମ୍ପତ୍ୟ କଳହ ହୋଇଥିଲେ ସୁଦ୍ଧା ଅନେକ ମହିଳା ମିଥ୍ୟା ଯୌତୁକ ନିର୍ଯାତନା ମାମଲା ଆଗତ କରି ସ୍ୱାମୀ ସମେତ ସ୍ୱାମୀର ପରିବାର ଓ ସ୍ୱାମୀର ନିକଟ ଓ ଦୂର ସଂପର୍କୀୟମାନଙ୍କୁ ମିଥ୍ୟାରେ ଅଯଥା ବିବାଦ ମଧ୍ୟକୁ ଟାଣି ଆଣୁଛନ୍ତି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଏଣିକି ନିର୍ଦ୍ଧିଷ୍ଟ ଓ ବଳିଷ୍ଠ ପ୍ରମାଣ ବିନା ଏପ୍ରକାରର ମାମଲାଗୁଡ଼ିକରେ ସ୍ୱାମୀ ଘରର ଲୋକଙ୍କ ସଙ୍ଗେସଙ୍ଗେ ଗିରଫଦାରୀ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର