ହାଇଦ୍ରାବାଦ: ଦୁନ୍ଦିଗାଲ୍‌ସ୍ଥିତ ଭାରତୀୟ ବାୟୁସେନା ଆଡ୍ଡାରେ ୫୦ ବଣୁଆ ବାର୍‌ହାଙ୍କୁ ଗୁଳି କରି ହତ୍ୟା

ହାଇଦ୍ରାବାଦ: ଦୁନ୍ଦିଗାଲ୍‌ସ୍ଥିତ ଏୟାର୍‌ ଫୋର୍ସ ଏକାଡେମି ଠାରେ ସାର୍ପସୁଟର୍‌ ନବାବ ଶାଫ୍‌ତା ଅଲି ଖାଁ ଏବଂ ତାଙ୍କ ଦଳ ୫୦ଟି ବଣୁଆ ବାର୍ହାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ଶନିବାର ରାତିରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ରବିବାର ଯାଏଁ ଚାଲିଥିଲା। ଏଥିପାଇଁ ତେଲେଙ୍ଗାନା ବନ୍ୟ ବିଭାଗ ଖାଁଙ୍କୁ ଅନୁମତି ପ୍ରଦାନପୂର୍ବକ ଆଦେଶ ଜାରି କରିଥିଲା। ଏୟାର୍‌ ଫୋର୍ସ ଏକାଡେମି ପରିସରସ୍ଥ ଛନଛନିଆ ଘାସ ଏବଂ ସବୁଜିମା ନଷ୍ଟକରୁଥିବା ଏବଂ ବିମାନ ଓ ତାଲିମ ଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ବିପଦ ସାଜିଥିବାରୁ ବଣୁଆ ବାର୍ହା ସବୁଙ୍କୁ ନିପାତ କରିବାକୁ ବନ ବିଭାଗ ଏ ଭଳି ଆଦେଶ ଦେଇଥିବା ପ୍ରକାଶ।

ଏକାଡେମି ପରିସର ୧୫୦୦ ଏକର ଜମିରେ ଅବସ୍ଥିତ ଏବଂ ଏଥିରେ ନିଘଞ୍ଚ ବଣଟିଏ ରହିଛି। ସେଠାରେ ବନ୍ୟ ବରାହଙ୍କ ସଂଖ୍ୟା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ବନ ବିଭାଗ ଲାଇସେନ୍‌ସ୍‌ଧାରୀ ସାର୍ପ ସୁଟର୍‌ ନବାବଙ୍କୁ ସେମାନଙ୍କ ସଂହାର ପାଇଁ ଅନୁମତି ଦେଇଥିଲା। ବନ ବିଭାଗର ଡିଏଫ୍‌ଓ କହନ୍ତି: ଯେଉଁ ବାର୍ହା ସବୁ ଅଭ୍ୟାସଗତ ଭାବେ ଫସଲ ନଷ୍ଟ କରୁଛନ୍ତି, ଯାହାଙ୍କୁ ଆଉ ବଣ ଭିତରକୁ ଘଉଡ଼ାଇ ହେବ ନାହିଁ, ସେମାନଙ୍କୁ ସମୂହ ହତ୍ୟା କରାଯିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ।

ନବାବ କହନ୍ତି: ଏୟାର୍‌ ଫୋର୍ସ ଏକାଡେମି ପରିସରରେ ଶନିବାର ଦିନ ୫ ଘଣ୍ଟା ମଧ୍ୟରେ ଆମେ ୩୧୧ଟି ବନ୍ୟ ବରାହ ଗଣିଲୁ। କୌଣସି ଖାଦକ ପ୍ରାଣୀ ନ ଥିବାରୁ ସେମାନଙ୍କ ସଂଖ୍ୟା ବଢ଼ି ଚାଲିଛି। ଆମେ ୫୦ଟି ବୃହତ୍‌ ବରାହ ଚିହ୍ନଟ କରି ହତ୍ୟା କଲୁ। ଏଥିରେ ଆମକୁ ସହାୟତା କରିଥିଲେ ଏୟାର୍‌ ଫୋର୍ସ ଏକାଡେମିର ଅଧିକାରୀ ଏବଂ ସଙ୍ଗାରେଡ୍ଡେୀ ବନ ଖଣ୍ଡର ଦୁଇ ଜଣ ବନରକ୍ଷୀ। ଶନିବାର ରାତି ୧୧ଟା ବେଳେ ଅଭିଯାନ ଆରମ୍ଭ ହୋଇ ରବିବାର ପାହାନ୍ତା ୩ଟା ଯାଏଁ ଚାଲିଥିଲା। ପରେ ବନ ଅଧିକାରୀଙ୍କ ଉପସ୍ଥିତିରେ ଗାଢ଼ ଖୋଳି ଆମେ ନିହତ ବରାହମାନଙ୍କର ମଢ଼ ପୋତି ପକାଇଲୁ।

ସମ୍ବନ୍ଧିତ ଖବର