ହାଇଦ୍ରାବାଦରୁ ଲଣ୍ଡନ୍‌ ଅଭିମୁଖେ ଉଡ଼ାଣ ଭରୁଥିବା ବ୍ରିଟିଶ ଏୟାରେଓ୍ଵଜ୍‌ର ବିମାନ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ନିଶ୍ଚିତ ଦୁର୍ଘଟଣାରୁ; ଭିଡିଓ ହେଲା ଭାଇରାଲ

ହାଇଦ୍ରାବାଦ/ ହିଥ୍ରୋ (ଇଂଲଣ୍ଡ): ହାଇଦ୍ରାବାଦରୁ ଲଣ୍ଡନ୍‌ର ହିଥ୍ରୋ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଭରିଥିବା ବ୍ରିଟିଶ ଏୟାରେଓ୍ଵଜ୍‌ର ଏକ ଯାତ୍ରୀବାହୀ ବିମାନ ଗତ ଶନିବାର ଦିନ ହିଥ୍ରୋ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ବେଳେ ଏକ ବଡ଼ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଅଳ୍ପକରେ ବର୍ତ୍ତି ଯାଇଛି। ସଂପୃକ୍ତ ବିମାନର ପାଇଲଟ ଯେପରି ଢ଼ଙ୍ଗରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ ସହ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଏକ ନିଶ୍ଚିତ ଦୁର୍ଘଟଣାରୁ ବିମାନଟିକୁ ବଞ୍ଚାଇଲେ ତାହାର ଭିଡିଓ ଏବେ ଭାଇରାଲ ହେବା ସହ ସଂପୃକ୍ତ ବିମାନର ପାଇଲଟଙ୍କ ନିକଟକୁ ଏବେ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବ୍ରିଟିଶ ଏୟାରେଓ୍ଵଜ୍‌ର ୨୭୬ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବିମାନଟି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।


ତେବେ, ହିଥ୍ରୋ ବିମାନ ବନ୍ଦରରେ ପାଇଲଟ ଜଣକ ବିମାନଟିକୁ ଅବତରଣ କରାଇ ରନ୍‌େଓ୍ଵ ଉପରେ ଛୁଇଁବାକୁ ଯାଉଥିବା ବେଳେ ଦେଖିବାକୁ ପାଇଲେ ଯେ ସମ୍ମୁଖରୁ ଏକ ଭୀଷଣକାୟ ଘୂର୍ଣ୍ଣିବଳୟ ତାଙ୍କ ବିମାନ ଆଡ଼କୁ ତୀବ୍ର ଗତିରେ ମାଡ଼ି ଆସୁଛି। ଏ ଘଟଣା ଦେଖିବା ପରେ ପାଇଲଟ ଜଣକ ଖୁବ୍‌ ଭୟଭୀତ ହୋଇପଡ଼ିଲେ। କାରଣ, ବିମାନଟି ଯଦି ଏ ଘୂର୍ଣ୍ଣି ବଳୟ ମଧ୍ୟରେ ପଡ଼ିଯାଏ ତେବେ ଦୁର୍ଘଟଣାର ସମ୍ମୁଖୀନ ହେବାଟା ସୁନିଶ୍ଚିତ। ତେଣୁ ସେ ନିଜର ଉପସ୍ଥିତ ବୁଦ୍ଧି ଓ ସାହସିକତା ପ୍ରଦର୍ଶନ କରି ବିମାନଟି ରନ୍‌େଓ୍ଵର ଭୂମିକୁ ଛୁଇଁବା ପୂର୍ବରୁ ଆଉଥରେ ବିମାନଟିକୁ ଆକାଶକୁ ଉଠାଇ ନେଲେ।


ଫଳରେ ବିମାନଟି ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଯିବା ସହ ବିମାନର ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହି ଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବା ସହ ସଂପୃକ୍ତ ବିମାନର ପାଇଲଟଙ୍କ ନିକଟକୁ ଏବେ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିବାକୁ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର