କାର୍‌ର ନମ୍ବର ପ୍ଲେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଫଟୋ ଭାଇରାଲ, ଲେଖିବା ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ

ହାଇଦ୍ରାବାଦ୍‌ : ସେପ୍ଟେମ୍ବର ୧ରୁ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା । ଯାହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କଠାରୁ ଟ୍ରାଫିକ ପୁଲିସ ହଜାର ହଜାର ଟଙ୍କାର ଜରିମାନା ଆଦାୟ କରିଥିଲା । କିଛି ଲୋକ ଭାରୀ ଜରିମାନାରୁ ବଞ୍ଚିବା ପାଇଁ ଘରୁ ବାହାରୁ ନଥିବା ବେଳେ କିଛି ନିଜ ଗାଡ଼ିରେ ପୁଲିସ, ପ୍ରେସ୍‌, ଜଜ୍‌ ବା ବିଧାୟକଙ୍କ ଷ୍ଟିକର ଲଗାଇ ଗାଡ଼ି ଚଳାଉଥିବାର ଦେଖାଯାଉଛି । କିନ୍ତୁ ହାଇଦ୍ରାବାଦ୍‌ର ଜଣେ ଚାଳକ କରିଥିବା କାମ ଏବେ ଟ୍ରାଫିକ ପୁଲିସ ସମେତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ହାଇଦ୍ରାବାଦ୍‌ର ଜଣେ ଯୁବକ ନିଜ କାର୍‌ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାଁ ଲେଖି ଗାଡ଼ି ଚଳାଉଥିଲେ । ନମ୍ବର ପ୍ଲେଟ୍‌ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଦେଖି ପୁଲିସ ଗାଡ଼ି ଅଟକାଇଥିଲା । ପରେ ତାହା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ନୁହେଁ ବୋଲି ଜାଣି ପୁଲିସ ଗାଡ଼ିକୁ ଜବତ କରିଥିଲା । ପଚରାଉଚରା ପରେ ଏଭଳି କରିବାର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।

ପୁଲିସର କହିବାନୁସାରେ, ଅକ୍ଟୋବର ୧୯ରେ ଗାଡ଼ିର ନମ୍ବର ପ୍ଲେଟ୍‌ ସ୍ଥାନରେ ଏପି ସିଏମ୍‌ ଜଗନ ଲେଖିଥିବା ଦେଖି ଗାଡ଼ିକୁ ଅଟକାଯାଇଥିଲା । ପରେ ତାହା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ନୁହଁ ବୋଲି ଜାଣି ପୁଲିସ ଗାଡ଼ି ଚଳାଉଥିବା ଏମ୍‌ ହରି ରାକେଶଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଟୋଲ ଫି’ ଓ ଟ୍ରାଫିକ ପୁଲିସର ଆଖିରୁ ବଞ୍ଚିବା ପାଇଁ ଏଭଳି କରିଥିବା ସ୍ୱୀକାର କରିଥିଲେ ଏମ୍‌ ହରି ରାକେଶ । ଦୋଷ ମାନିବା ପରେ ପୁଲିସ ଏବେ ଏମ୍‌ ହରି ରାକେଶ ବିରୋଧରେ ଧାରା ୪୨୦ ଓ ୨୧୦ଅନୁଯାୟୀ ଏତଲା ରୁଜୁ କରିଛି ।

ସମ୍ବନ୍ଧିତ ଖବର