ମୁଁ ସଂସାର ଛାଡ଼ିଛି, ୩୦ ଲକ୍ଷ ଜରିମାନା ଦେବାକୁ ଅସମର୍ଥ

ହାଇକୋର୍ଟଙ୍କୁ ଜଣାଇଲେ ରାମ ରହିମ

ନୂଆଦିଲ୍ଲୀ: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ବାବା ରାମ୍‌ ରହିମ ଆଜି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ତାଙ୍କ ଉପରେ ଜାରି ହୋଇଥିବା ୩୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ସେ ଅସମର୍ଥ। ଗୁରୁମିତଙ୍କ ଓକିଲ ଏସ୍‌କେ ଗର୍ଗ ଆଜି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଖଣ୍ଡପୀଠକୁ ଜଣାଇଛନ୍ତି ଯେ ତାଙ୍କ ମହକିଲ ରାମ ରହିମ ସଂସାର ତ୍ୟାଗୀ। ଡେରା ସମ୍ପତ୍ତି ବାଜ୍ୟାପ୍ତ ହୋଇସାରିଛି ତେଣୁ ସେ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ୩୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ଅସମର୍ଥ। ରାମ ରହିମଙ୍କୁ ୨ ସାଧ୍ୱୀ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍‌ ଦଣ୍ଡ ସହ ୩୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଥିଲା।

ଏହି ୩୦ ଲକ୍ଷ ଟଙ୍କା ପୀଡିତାଙ୍କୁ କ୍ଷତିପୂରଣ ଆକାରରେ ଦିଆଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ସୁର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ସୁଧୀର ମିତ୍ତଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଡେରା ମୁଖ୍ୟଙ୍କ ଦୁଷ୍କର୍ମ ମାମଲାରେ ଦଣ୍ଡ ବିରୋଧରେ ଆବେଦନ ଗ୍ରହଣ କରି ସିବିଆଇକୁ ନୋଟିସ କରିଛନ୍ତି ଏବଂ ୨ ସାଧ୍ୱୀଙ୍କ ଆବେଦନ ମଧ୍ୟ ହାଇକୋର୍ଟ ବେଞ୍ଚ୍‌ ଦ୍ୱାରା ଗ୍ରହଣ କରାଯାଇଛି। ତେବେ ଖଣ୍ଡପୀଠ ଗୁରୁମିତଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦୁଇ ସପ୍ତାହ ମଧ୍ୟରେ ପଞ୍ଚକୁଳା ସିବିଆଇ କୋର୍ଟରେ ଟଙ୍କା ପୈଠ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର