‘ମୁଁ ମଧ୍ୟ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇପାରେ’: କଠୁଆ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଓକିଲ

ନୂଆଦିଲ୍ଲୀ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ଏହି ମାମଲାର ବିଚାରପ୍ରକ୍ରିୟାକୁ ନେଇ ଏବେ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଜମ୍ମୁ ବାର୍‌ ଆସୋସିଏସନ୍‌ର ଆଇନଜୀବୀମାନେ କଠୁଆ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ପକ୍ଷରୁ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ବେଳେ କଠୁଆ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଲଢ଼ି ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି ଜନୈକା ମହିଳା ଆଇନଜୀବୀ ଦୀପିକା ସିଂହ ରାଜାଓ୍ଵତ୍‌।

ତେବେ, କଠୁଆ ଦୁଷ୍କର୍ମ ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ମାମଲା ଲଢ଼ିବା ପାଇଁ ଘୋଷଣା କରିବା ପରେ ଆଇନଜୀବୀ ଦୀପିକା ସିଂହ ରାଜାଓ୍ଵତ୍‌ଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ଏଥିପାଇଁ ତାଙ୍କୁ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯିବାର ମଧ୍ୟ ସମ୍ଭାବନା ରହିଛି ବୋଲି ମଧ୍ୟ ସେ ଆଶଙ୍କା ପ୍ରକଟ କରିଛନ୍ତି।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନଜୀବୀ ଦୀପିକା ସିଂହ ରାଜାଓ୍ଵତ୍‌ କହିଛନ୍ତି, ‘ମୋତେ ଲାଗୁଛି, ମୁଁ କଠୁଆ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଲଢ଼ିବାକୁ ନିଷ୍ପତ୍ତି ନେବାପରେ, ମୁଁ ମଧ୍ୟ ଦୁଷ୍କର୍ମର ଶୀକାର ହୋଇପାରେ! ସେମାନେ ମୋତେ ମଧ୍ୟ ହତ୍ୟା କରିପାରନ୍ତି! ମୋତେ ସେମାନେ ଏକଘରକିଆ କରି ଦେଇଛନ୍ତି। ସେମାନେ କୋର୍ଟରେ ମୋତେ ଓକିଲାତି କରିବା ପାଇଁ ସୁଯୋଗ ଦେଉ ନାହାନ୍ତି। ଏପ୍ରକାର ପରିସ୍ଥିତିରେ ମୁଁ କ’ଣ କରିବି କିଛି ବି ଜାଣିପାରୁନାହିଁ।’

ଏଥିସହ ଆଇନଜୀବୀ ଦୀପିକା କହିଛନ୍ତି ଯେ ମୋର ଏହି ନଷ୍ପତ୍ତି ପାଇଁ ସେମାନେ ମୋତେ ଏବେ ହିନ୍ଦୁ ବିରୋଧୀ ବୋଲି ଆଖ୍ୟା ଦେବା ସହ ସାମାଜିକ ଭାବେ ମୋତେ ବାସନ୍ଦ ମଧ୍ୟ କରି ଦେଇଛନ୍ତି। ତେବେ, ଏସବୁଥିରେ ମୁଁ ଡରିଯିବି ନାହିଁ। ଏଘଟଣା ପ୍ରତି ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବି। ମୋ ପାଇଁ ଏବଂ ମୋ ପରିବାର ପାଇଁ ସୁରକ୍ଷା ଲୋଡ଼ିବି। ଯେତେଯାହା ହୋଇଯାଉ ପଛେ ମୋର ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ କଠୁଆ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ମୁଁ ସବୁ ପ୍ରକାରର ଉଦ୍ଦ୍ୟମ କରିବି।

ସମ୍ବନ୍ଧିତ ଖବର