ମୋଦିଙ୍କ ହସ୍ତକ୍ଷେପ ଫଳରେ ନିଶ୍ଚିତ ବିଭାଜନ ମୁହଁରୁ ବର୍ତ୍ତିଯାଇଥିଲା ଏଆଇଡିଏମକେ

ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁପରେ ତାଙ୍କ ରାଜନୈତିକ ଉତ୍ତରାଧିକାରକୁ ନେଇ ଶଶୀକଳା ଏବଂ ଓ.ପନୀରସେଲଭମଙ୍କ ମଧ୍ୟରେ ପ୍ରବଳ ମତଭେଦ ଦେଖାଦେଇଥିଲା । ଏହାକୁ ନେଇ ଦଳ ଦୁଇଭାଗରେ ବିଭକ୍ତ ହୋଇଥିଲା । ଶଶୀକଳା ଗୋଷ୍ଠୀ ତରଫରୁ କେ.ପାଲାନିସ୍ୱାମୀ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ଏହାକୁ ବିରୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ.ପନୀଲସେଲଭମ୍‌ଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ଦଳରୁ ଅଲଗା ହୋଇଯାଇଥିଲେ । ଉଭୟ ଗୋଷ୍ଠୀ ନିଜକୁ ଜୟଲଳିତାଙ୍କ ଉତ୍ତରାଧିକାରୀ ବୋଲି ଦାବି କରୁଥିଲେ । ଦଳରେ ପ୍ରାୟ ବିଭାଜିତ ହୋଇସାରିଥିବା ପରେ ଆଶ୍ଚର୍ଯ୍ୟଜନକଭାବେ କିଛି ମାସପରେ ଉଭୟ ଗୋଷ୍ଠୀ ମିଶିଯାଇଥିଲେ ଓ ଶଶୀକଳାଙ୍କୁ ଏକଘରିଆ କରିଦେଇଥିଲେ । ତେବେ କାହାର ଅଦୃଶ୍ୟ ଇଙ୍ଗିତରେ ଏସବୁ ସମ୍ଭବ ହୋଇଥିଲା ।
ଏବେ ପ୍ରାୟ ଏକ ବର୍ଷ ପରେ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ପନୀରସେଲଭମ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶରେ ହିଁ ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ସମ୍ଭବ ହୋଇପାରିଲା ଓ ଦଳକୁ ବିଭାଜିତ ହେବାରୁ ରକ୍ଷା କରାଯାଇପାରିଲା । ଥେନିଠାରେ ଏଆଇଡିଏମକେର କର୍ମୀମାନଙ୍କ ଏକ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ଗତ ବର୍ଷ ମୋଦିଙ୍କ ଭେଟିବା ଅବସରରେ ସେ କହିଥିଲେ ଯେ ଦଳକୁ ବିଭାଜିତ ହେବାରୁ ରକ୍ଷା କରିବା ପାଇଁ ଉଭୟ ଗୋଷ୍ଠୀ ମିଶିଯିବା ଆବଶ୍ୟକ । ଏହି ପରାମର୍ଶ ପରେ ହିଁ ସେ ଦଳକୁ ଫେରିଆସିଥିଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର