ଦେଶରେ ହିନ୍ଦୀ ଭାଷା ଲଦିଦେବା ବିଷୟ କହିନଥିଲି, କେବଳ ହିନ୍ଦୀ ଶିଖିବାକୁ କହିଥିଲି : ଅମିତ ଶାହା

ନୂଆଦିଲ୍ଲୀ : ସମଗ୍ର ଦେଶରେ ହିନ୍ଦୀ ଭାଷା ଲାଗୁ କରିବା ନେଇ ବିବାଦ ବଢୁଥିବାବେଳେ ଆଜି ମୁହଁ ଖୋଲିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ ସେ ବାଧ୍ୟତାମୂଳକଭାବେ ସମଗ୍ର ଦେଶରେ ହିନ୍ଦୀ ଲାଗୁ କରାଯିବା ବିଷୟ କହିନଥିଲେ । ଲୋକମାନେ ନିଜର ମାତୃଭାଷା ବ୍ୟତୀୟ ଏକ ୨ୟ ଭାଷା ଭାବରେ ହିନ୍ଦୀ ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ । କିନ୍ତୁ ଗଣମାଧ୍ୟମ ତାଙ୍କ ମତକୁ ଭୁଲଭାବରେ ପରିବେଷଣ କରିଥିଲା ଓ ବିରୋଧୀ ଦଳ ଏହାକୁ ନେଇ ରାଜନୀତି କରୁଛି ବୋଲି ଶାହା ଅଭିଯୋଗ କରିଛନ୍ତି । ମୁଁ ନିଜେ ଏକ ଅଣହିନ୍ଦୀଭାଷୀ ରାଜ୍ୟରୁ ଆସିଛି, ଯଦି ଲୋକମାନେ ରାଜନୀତି କରିବାକୁ ଚାହାନ୍ତି, ତାହା ସେମାନଙ୍କ ଇଚ୍ଛା ବୋଲି ସେ କହିଛନ୍ତି ।

ଗତ ସେପ୍ଟେମ୍ବର ୧୪ ତାରିଖରେ ଜାତୀୟ ହିନ୍ଦୀ ଦିବସ ଅବସରରେ ସେ କହିଥିଲେ ଯେ ହିନ୍ଦୀ ସମଗ୍ର ଦେଶରେ ଏକ ସାଧାରଣ ଭାଷା ହେବାର ଆବଶ୍ୟକତା ରହିଛି । ତେବେ ସେ ଏହା ମଧ୍ୟ କହିଥିଲେ ଯେ ହିନ୍ଦୀ ଭାଷାକୁ ପ୍ରେତ୍ସାହନର ଅର୍ଥ ନୁହେଁ ଯେ ତାହାକୁ ଆଞ୍ଚଳିକ ଭାଷାଗୁଡ଼ିକ ସ୍ଥାନରେ ବ୍ୟବହାର କରାଯିବ । ତେବେ ଏହାକୁ ନେଇ ତାମିଲନାଡୁ, କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ପ୍ରବଳ ବିରୋଧ ଦେଖାଦେଇଥିଲା ।

ସମ୍ବନ୍ଧିତ ଖବର