ମୋତେ ବ୍ୟାଙ୍କ ଚୋର ବୋଲି ପ୍ରଚାର କରାଯାଉଛି : ବିଜୟ ମାଲ୍ୟା

ଲଣ୍ଡନ: ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନସୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଏବେ ମୁହଁ ଖୋଲିଛନ୍ତି । ଟ୍ଵିଟ୍‌ କରି ସେ ଲେଖିଛନ୍ତି ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟର ବୟ ବନେଇଦିଆଯାଇଛି । ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି । ରାଜନୈତିକ ଦଳ ଓ ମିଡିଆ ତାଙ୍କୁ ଏକ ଅପରାଧୀ ପରି ଟାର୍ଗେଟ କରୁଛନ୍ତି ବୋଲି ସେ କହିଛନ୍ତି । ୯ ହଜାର କୋଟି ଟଙ୍କାର ଋଣ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିଲା, କିନ୍ତୁ ସେ ଏହି ଅର୍ଥ ଚୋରୀ କରି ନେଇଛନ୍ତି ବୋଲି ପ୍ରଚାର କରାଯାଉଛି । କିନ୍ତୁ ସେ ଇଚ୍ଛାକରି ଋଣ ଖିଲାଫ କରିନାହାନ୍ତି ବୋଲି କହିଛନ୍ତି । ଯଦି ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ହସ୍ତକ୍ଷେପ ଜାରି ରହେ ସେ ନିଜର ଦେୟ ପରିଶୋଧ କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ତାଙ୍କ ପକ୍ଷ କେହି ନ ଶୁଣି ତାଙ୍କୁ ଅପରାଧୀ ବିବେଚନା କରାଯାଉଛି । ନିଜର ପକ୍ଷ ରଖି ସେ ୨୦୧୬ରେ ଏପ୍ରିଲ ୧୫ରେ ଉଭୟ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ଏହାର କୌଣସି ଜବାବ ଆସିନଥିଲା ।

ସୂଚନାଯୋଗ୍ୟ ଯେ ଏବେ ଲଣ୍ଡନରେ ରହୁଥିବା ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ମାମଲାରେ ସମ୍ମୁଖୀନ ହେଉଛନ୍ତି । ଦୁଇ ସପ୍ତାହ ପରେ ଲଣ୍ଡନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହେବ ।

ସମ୍ବନ୍ଧିତ ଖବର