‘ବଡ଼ ହେଲେ ମୁଁ ମୋ ବାପାଙ୍କ ପରି ଅଧିକାରୀ ହେବି। ନେବି ପିତୃ ହତ୍ୟାର ପ୍ରତିଶୋଧ’… କହିଲେ ସହିଦ୍‌ ପରଭେଜ୍‌ ଅହମ୍ମଦଙ୍କ ପୁତ୍ର ସାହିଲ୍‌

ରାଜୋରୀ (ଜମ୍ମୁ- କଶ୍ମୀର): ଶ୍ରୀନଗରରେ ଗତ ରବିବାର ଦିନ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇ ଯାଇଛନ୍ତି ସ୍ପେଶାଲ ଅପରେସନ୍ସ ଗ୍ରୁପ୍‌ (ଏସ୍‌ଓଜି)ର ଅଧିକାରୀ ପର୍‌ଭେଜ ଅହମ୍ମଦ। ତେବେ, ପିତା  ପର୍‌ଭେଜ ଅହମ୍ମଦଙ୍କ ସହିଦ ହୋଇଯିବା ଘଟଣାରେ ଭାଙ୍ଗି ପଡ଼ି ନାହାନ୍ତି ତାଙ୍କର ଦୁଇ ନାବାଳକ ପୁତ୍ର। ଅବଶ୍ୟ, ପିତାଙ୍କୁ ଅକାଳରେ ହରାଇବାର ଦୁଃଖ ସେମାନଙ୍କୁ ଦୁଃଖିତ କରାଇଛି, କନ୍ଦାଇଛି, ମ୍ରିୟମାଣ କରିଛି; ହେଲେ ସେମାନଙ୍କୁ କାପୁରୁଷ କରାଇ ପାରି ନାହିଁ। ଏ ପର୍ଯନ୍ତ ବି ସେମାନଙ୍କ ସହିଦ୍‌ ପିତାଙ୍କ ମୃତଦେହ ସେମାନଙ୍କ ଘରେ ପହଞ୍ଚି ନାହିଁ, କି ସେମାନେ ସେମାନଙ୍କ ସହିଦ ପିତାଙ୍କର ଅନ୍ତିମ ଦର୍ଶନ କରିପାରି ନାହନ୍ତି; ତଥାପି ପ୍ରତିଶୋଧର ବହ୍ନିରେ ଜଳୁଛନ୍ତି ସେମାନେ। ଆଉ ପ୍ରତିଜ୍ଞାବଦ୍ଧ ହେଉଛନ୍ତି ପିତୃ ହତ୍ୟାର ପ୍ରତିଶୋଧ ନେବା ପାଇଁ।

ସହିଦ ପରଭେଜ ଅହମ୍ମଦଙ୍କ ୧୨ ବର୍ଷ ବୟସ୍କ ନାବାଳକ ବଡ଼ ପୁଅ ସାହିଲ୍‌ ପିତାଙ୍କର ସହିଦ ହୋଇଯିବା ଖବର ଶୁଣୁଶୁଣୁ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ମଧ୍ୟ ସ୍ଥିର କରି ସାରିଲେଣି। ପିତାଙ୍କୁ ହରାଇବାର ଦୁଃଖକୁ ନିଜ ଭିତରେ ଚାପି ରଖି ବାଷ୍ପାରୁଦ୍ଧ କଣ୍ଠରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କହିଛନ୍ତି, ‘ବଡ଼ ହେଲେ ମୁଁ ମୋ ବାପାଙ୍କ ପରି ଜଣେ ଅଧିକାରୀ ହେବି। ମୁଁ ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଛି। ମୁଁ ଜାଣିଛି, ମୋ ପିତାଙ୍କ ବଳିଦାନ ବୃଥା ଯିବ ନାହିଁ; ଏ ବଳିଦାନ ଜମ୍ମୁ- କଶ୍ମୀରରେ ଫଳ ଫଳେଇବ’ ବୋଲି ବେଶ ଦୃଢ଼ତାର ସହ କହିଛନ୍ତି ସାହିଲ୍‌। ସାହିଲ୍‌ଙ୍କୁୁ ଏବେ ୧୨ ବର୍ଷ ହୋଇଥିବା ବେଳେ ତାଙ୍କ ସାନ ଭାଇର ବୟସ ହେଉଛି ୮।

ଉଲ୍ଲେଖଯୋଗ୍ୟ, ଜମ୍ମୁ- କଶ୍ମୀର ପୁଲିସ୍‌ ପକ୍ଷରୁ ଆତଙ୍କବାଦୀଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଗଠିତ ସ୍ପେଶାଲ ଅପରେସନ୍ସ ଗ୍ରୁପ୍‌ (ଏସ୍‌ଓଜି)ର ଜନୈକ ବରିଷ୍ଠ ଅଧିକାରୀ ଥିଲେ ପର୍‌ଭେଜ ଅହମ୍ମଦ।  ସେ ଥିଲେ ତାଙ୍କ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ଥିଲେ ପତ୍ନୀ, ଦୁଇ ପୁତ୍ର ଓ ବୃଦ୍ଧ ପିତାଙ୍କ ସମେତ ପରିବାରର ୧୧ ପ୍ରାଣୀ କୁଟୁମ୍ବ। ଗତ ରବିବାର ଦିନ ଶ୍ରୀନଗରର ବାଟମାଲୋ ଠାରେ ସୁରକ୍ଷା କର୍ମୀ ଓ ଆତଙ୍କବଦୀଙ୍କ ମଧ୍ୟରେ ଘଟିଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ଗୁଳିରେ ପର୍‌ଭେଜ ଅହମ୍ମଦ ସହିଦ୍‌ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର