ପୁଲଓ୍ଵାମା ଆକ୍ରମଣ ଢଙ୍ଗରେ କାର୍‌ରେ ବିସ୍ଫୋରକ ଭରି ସିଆର୍‌ପିଏଫ୍‌ ବସ୍‌କୁ ଧକ୍କା ଦେଲା ଆତ୍ମଘାତୀ ବିସ୍ଫୋରକ, ଧରାପଡ଼ି ଓଗାଳିଲା ସତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ସୋମବାର ସୁରକ୍ଷା ବଳ ହାତରେ ଜଣେ ସଂଦିଗ୍ଧ ଆତ୍ମଘାତୀ ବିସ୍ଫୋରକ ଧରାପଡ଼ିଛି। ଏହି ଆତ୍ମଘାତୀ ବିସ୍ଫୋରକ ଜଣକ ୨ ଦିନ ତଳେ ଶ୍ରୀନଗରର ଜାତୀୟ ରାଜପଥରେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ବସ୍‌କୁ ଉଡ଼ାଇବାକୁ ଟାର୍ଗେଟ କରିଥିଲା।

ଏହି ଆତଙ୍କବାଦୀ ଜଣକ ହେଉଛି ଔସ୍‌ ଆମିନ୍‌। ତା’ ଘର ସୋଫିଆନ୍‌ ଜିଲ୍ଲାର ଓଏଲ୍‌ ଗାଁରେ। ଜଓ୍ଵାହାର୍‌ ଟନେଲ୍‌ଠାରେ ସୋମବାର ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନାର ମିଳିତ ଅପରେସନରେ ଆମିନ୍‌କୁ ଧରାଯାଇଛି। ସନ୍ଦିଗ୍ଧ ଆତଙ୍କବାଦୀ ଜଣକ ଏକ ଯାତ୍ରୀବାହୀ ବସ୍‌ରେ କଶ୍ମୀର ଉପତ୍ୟାକା ଆଡ଼େ ଯାଉଥିବା ବେଳେ ତାକୁ ଧରାଯାଇଛି।

ଶନିବାର ଜମ୍ମୁ-କଶ୍ମୀରର ଏକ ସିଆର୍‌ପିଏଫ୍‌ ଗାଡ଼ି ଜବାହାର ସୁଡଙ୍ଗ ପାର୍‌ କରିବାର ମାତ୍ର କିଛି ମିନିଟ୍‌ ପରେ ବନିହାଲରୁ ୭ କିଲୋମିଟର ଦୂର ଏକ ଗାଁରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ସିଆର୍‌ପିଏଫ୍‌ ଗାଡ଼ି ସାମାନ୍ୟ ପ୍ରଭାବିତ ବି ହୋଇଥିଲା। ଆତଙ୍କବବାଦୀ ଜଣକ ସାଣ୍ଟ୍ରୋ ଗାଡ଼ିରେ ରହି ଏହି ବିସ୍ଫୋରଣ ଘଟାଇଥିଲା।

 

ଏ ସଂପର୍କରେ ଜମ୍ମୁ-କଶ୍ମୀରର ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ ଦିଲବାଗ୍‌ ସିଂହ ସୂଚନା ଦେଇ କହିଛନ୍ତି, ‘ଔସ୍‌ ଆମିନକୁ ୩୬ ଘଣ୍ଟା ଭିତରେ ଗିରଫ କରାଯାଇଛି। ପଚରାଉଚରା ସମୟରେ ସେ ଜଣେ ଆତ୍ମଘାତୀ ଆକ୍ରମଣମାରୀ ବୋଲି ନିଜେ ସ୍ୱୀକାର କରିଛି।’

ଏ ସଂପର୍କରେ ସବିଶେଷ ସୂଚନା ଦେଇ ସିଂହ କହିଛନ୍ତି କି ମାର୍ଚ ୩୦ ତାରିଖ, ସକାଳ ପ୍ରାୟ ୧୦.୧୫ ସମୟରେ ବିସ୍ଫୋରକ ଭର୍ତ୍ତି ଏକ ସାଣ୍ଟ୍ରୋ କାର୍‌ଟି ବାନିହାଲ୍‌ଠାରେ ଆସି ସିଆର୍‌ପିଏଫ୍‌ ଗାଡ଼ିରେ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ସାମାନ୍ୟ ପ୍ରଭାବିତ ହୋଇଥିଲା। ବସ୍‌ରେ ଥିବା ସିଆର୍‌ପିଏଫ୍‌ ଯବାନମାନେ ନିଜକୁ ବଞ୍ଚାଇ ବସ୍‌ରୁ ଓହ୍ଲାଇ ପଡ଼ିବାରେ ସମର୍ଥ ହୋଇଥିଲେ।

ବିସ୍ଫୋରକ ଜଣକ ନିଜ ଅପରାଧ ସ୍ୱୀକାର କରୁଥିବା ବେଳର ଏକ ଭିଡିଓ ଟ୍ଵିଟ୍‌ରରେ ଦେଖିବାକୁ ମିଳିଛି। ସେ ସ୍ୱୀକାର କରି କହିଛି କି ତାକୁ ଫୋନ୍‌ରେ ସିଆର୍‌ପିଏଫ୍‌ ଶିବିର ଧ୍ୱଂଶ କରିବାକୁ କୁହାଯାଇଥିଲ। ତାକୁ କୁହାଯାଇଥିଲା ସିଆର୍‌ପିଏଫ୍‌ ଯବାନଙ୍କୁ ଏକା ସାଙ୍ଗେ ଦେଖିଲେ ସୁଇଚ୍‌ ଦବାଇ ଦେବୁ। ସେ ସେପରି ହିଁ କରିଥିଲା।

ପରେ ଏହି ଆତଙ୍କବାଦୀ ନିକଟରୁ ମିଳିଥିବା ଏକ ଚିଠିରୁ ସ୍ପଷ୍ଟ ହୋଇଛି ଯେ ହିଜ୍‌ବୁଲ୍‌ ମୁଜାହିଦ୍ଦିନର ଏହି ଆତଙ୍କବାଦୀ ଜଣକ ଫେବ୍ରୁଆରି ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରି ଯୋଜନାରେ ଥିଲା।

ସମ୍ବନ୍ଧିତ ଖବର