ଆଇଏଏଫ୍‌ ଉଇଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ପଚରା ଉଚୁରା ଶେଷ ହେଲା: ତିନି ସପ୍ତାହ ଅସୁସ୍ଥତା ଜନିତ ଛୁଟିରେ ରହିବେ

ନୂଆଦିଲ୍ଲୀ: ଉଇଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କ ସହ ଭାରତୀୟ ବାୟୁସେନା ଏବଂ ନିରାପତ୍ତା ଏଜେନ୍‌ସି ପ୍ରାୟ ଦୁଇ ସପ୍ତାହର ପଚରା ଉଚୁରା ଶେଷ କରିଛନ୍ତି।

ତାଙ୍କର ଡାକ୍ତରୀ ଚିକିତ୍ସା ମଧ୍ୟ ଶେଷ ହୋଇଥିବା କଥା ସେମାନେ କହିଛନ୍ତି। କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେ ଅନ୍ୟୂନ ତିନି ସପ୍ତାହ ଅସୁସ୍ଥତା ଜନିତ ଛୁଟିରେ ରହିବେ।

ଅଭିନନ୍ଦନଙ୍କର ଇଚ୍ଛା ସେ ପୁଣି ଲଢୁଆ ବିମାନ ଚଳାଇବେ। କିନ୍ତୁ ସେଥିପାଇଁ ସେ ଉପଯୁକ୍ତ କି ନୁହେଁ ଆଇଏଏଫ୍‌ ଦ୍ୱାରା ଏକ ଡାକ୍ତରୀ ଦଳ ଗଠନ କରାଯାଇ ତାଙ୍କର ଶାରୀରିକ ଯୋଗ୍ୟତା ପରୀକ୍ଷା କରିବେ।

କୁଲିଙ୍ଗ୍‌ ଡାଉନ୍‌ ପ୍ରକ୍ରିୟାର ଅଂଶ ସ୍ୱରୂପ ନିରାପତ୍ତା ଏଜେନ୍‌ସି ବର୍ତ୍ତମାନଙ୍କୁ ପଚରା ଉଚୁରା କରିଥିଲେ।

ଫେବ୍ରୁଆରି ୨୭ ତାରିଖ ଦିନ ପାକିସ୍ତାନୀ ସେନା ଅଭିନନ୍ଦନଙ୍କ ମିଗ୍‌-୨୧ ବାଇସନ୍‌ ଜେଟ୍‌କୁ ଗୁଳିମାରି ଖସାଇବା ସହ ତାଙ୍କୁ ବନ୍ଦୀ କରି ନେଇଥିଲେ।

ତାଙ୍କୁ ମାର୍ଚ ୧ ତାରିଖ ଦିନ ପାକିସ୍ତାନ ମୁକ୍ତ କରିଥିଲା। ପ୍ରଥମେ ତାଙ୍କୁ ଜାତୀୟ ରାଜଧାନୀରେ ଥିବା ଏୟାର୍‌ଫୋର୍ସ ସେଣ୍ଟ୍ରାଲ୍‌ ମେଡିକାଲ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ନିଆଯାଇଥିଲା। ସେଠାରୁ ତାଙ୍କୁ ସେନାର ରିସର୍ଚ ଆଣ୍ଡ୍‌ ରେଫେରାଲ୍‌ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର