ବାୟୁସେନା ବିମାନ ଏଏନ୍‌-୩୨ ଦୁର୍ଘଟଣା : ଓଡ଼ିଆ ଫ୍ଲାଇଟ୍‌ ଲେପ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ସମେତ ୧୩ଜଣ ମୃତ୍ୟୁବରଣ କରିଥିବା ସ୍ପଷ୍ଟ କଲା ବାୟୁସେନା

ନୂଆଦିଲ୍ଲୀ : ଜୁନ୍‌-୩ ତାରିଖରେ ହଠାତ ଆକାଶ ମାର୍ଗରୁ ନିଖୋଜ ହୋଇ ଯାଇଥିଲା ବାୟୁସେନା ବିମାନ ଏଏନ୍‌-୩୨ । ନିଖୋଜ ହେବା ପରେ ୮ ଦିନ ଧରି ତଲାସି ଅଭିଯାନ ଜାରି ରହିଥିବା ବେଳେ ଗତକାଲି ବିମାନର ପତ୍ତା ମିଳିଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ଉଦ୍ଧାରକାରୀ ଦଳର ୮ଜଣିଆ ଟିମ୍‌ ପହଞ୍ଚିବା ପରେ ବିମାନରେ ଥିବା ସମସ୍ତ ୧୩ଜଣଙ୍କ ମଧ୍ୟରୁ କେହି ବଞ୍ଚି ନଥିବା ସ୍ପଷ୍ଟ ହୋଇଛି । ଏହି ୧୩ ଜଣଙ୍କ ମଧ୍ୟରେ ଓଡ଼ିଶାର ଫ୍ଲାଇଟ୍‌ ଲେପ୍ଟନାଣ୍ଟ ସୁନୀତ ମହାନ୍ତି ଅଛନ୍ତି। 

ଆଜି ସକାଳ ସମୟରେ  ୮ଜଣିଆ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ଥସ୍ତ ସ୍ଥାନରେ ପହଞ୍ଚି ଛାନଭିନ କରିଥିଲେ । ଘଟଣାସ୍ଥଳରେ କେହି ବଞ୍ଚି ନଥିବା ସାମ୍ନାକୁ ଆସିଛି । ମୃତକମାନଙ୍କ ମଧ୍ୟରେ ଉଇଙ୍ଗ କମାଣ୍ଡର ଜିଏମ୍‌ ଚାଲର୍ସ, ସ୍କ୍ଵାର୍ଡନ ଲିଡର ଏଚ୍‌ ବିନୋଦ, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଆର୍‌ ଥପା, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏ ତନଓ୍ଵର, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ତଥା ଓଡ଼ିଆ ପୁଅ ସୁନୀତ ମହାନ୍ତି, ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଏମ୍‌କେ ଗର୍ଗ, ଓ୍ଵାରେଣ୍ଟ ଅଫିସର କେକେ ମିଶ୍ର, ସାର୍ଜେଣ୍ଟ ଅନୁପ କୁମାର, କର୍ପୋରାଲ ଶେରିନ୍‌, ଲିଡ୍‌ ଏୟାରକ୍ରଫ୍ଟ ମ୍ୟାନ୍‌ ଏସ୍‌କେ ସିଂହ, ଲିଡ୍‌ ଏୟାରକ୍ରଫ୍ଟ ମ୍ୟାନ୍‌ ପଙ୍କଜ, ଅଣ ସାମରିକ କର୍ମଚାରୀ ରଜେଶ କୁମାର ଥିଲେ ବୋଲି ଚିହ୍ନଟ କରାଯାଇଛି ।

latestly.com

ସୂଚନା ମୁତାବକ, ସୋମବାର ୧୩ଜଣଙ୍କୁ ନେଇ ବାୟୁସେନା ବିମାନ ଏଏନ୍‌-୩୨ ମେଞ୍ଚୁକା ଅଭିମୁଖେ ଉଡ଼ାଣ ଭରିଥିଲା । ଆସାମର ଜୋର୍‌ହାଟରୁ ଉଡ଼ାଣ ଭରିବାର ୩୩ମିନିଟ୍‌ ପରେ ବିମାନଟି ରାଡାରରୁ ନିଖୋଜ ହୋଇ ଯାଇଥିଲା । ଦିନ ୧୨ଟା ୨୭ମିନିଟ୍‌ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଦିନ ୧ଟାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ।

ସମ୍ବନ୍ଧିତ ଖବର