ସିରିୟାରୁ ଆଇଏସ୍‌ ମୂଳପୋଛ : ଶେଷ ଗ୍ରାମ ମିଳିତ ବାହିନୀ ଦଖଲରେ

ଆତଙ୍କବାଦ ବିରୋଧରେ ବଡ଼ ବିଜୟ: ଟ୍ରମ୍ପ୍

ଡାମାସ୍କସ୍ : ସିରିୟାରୁ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ସାମ୍ରାଜ୍ୟର ସଂପୂର୍ଣ୍ଣ ମୂଳୋତ୍ପାଟନ କରିଛି ଆମେରିକା ନେତୃତ୍ବାଧୀନ ମିଳିତ ବାହିନୀ। ଦୀର୍ଘ ସାଢ଼େ ୪ ବର୍ଷର ସାମରିକ ଅପରେସନ ପରେ ଆଇଏସ୍‌ ଦଖଲରେ ଥିବା ସିରିୟାର ଶେଷ ଗ୍ରାମକୁ ଗତକାଲି ମିଳିତ ବାହିନୀ ନିଜ ଦଖଲକୁ ନେଇଛି। ଏଥିସହିତ ସିରିୟାରେ ଆଇଏସ୍‌ର ଅନ୍ତ ଘଟିଛି ଏବଂ ଏବେ ସେଠାରେ ନୂଆ ସମ୍ଭାବନା ଦେଖାଦେଇଛି। ଆଇଏସ୍‌ ଦଖଲରେ ଥିବା ସିରିୟାର ଶେଷ ଗ୍ରାମ ବାଗୁଜରେ ସବୁ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏବେ ଜେରା କରାଯାଉଛି। ଗ୍ରାମର ସମସ୍ତ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗ୍ରାମର ଆଖପାଖ ଅଞ୍ଚଳରେ ଲୁଚି ରହିଥିବା ଶତାଧିକ ଆତଙ୍କବାଦୀ ମିଳିତ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସିରିୟା ସେନାର ପ୍ରବକ୍ତା କହିଛନ୍ତି ଯେ ଆଇଏସ୍‌ କବ୍‌ଜାରୁ ସବୁ ଅଂଚଳକୁ ମୁକ୍ତ କରାଯାଇଛି, କିନ୍ତୁ ସେମାନଙ୍କ ସ୍ଲିପର୍‌ ସେଲ୍‌ ରହିଥିବାରୁ ବିପଦ ଟଳିନାହିଁ। ତେବେ ଆଇଏସ୍‌ର କୌଣସି ଆନୁଷ୍ଠାନିକ ଶିବିର, କମାଣ୍ଡ ସେଣ୍ଟର, ତାଲିମ କେନ୍ଦ୍ର ଏବଂ ଅସ୍ତ୍ରାଗାର କେଉଁଠି ମଧ୍ୟ ନାହିଁ ଏବଂ କୌଣସି ସ୍ଥାନରେ ଆଇଏସ୍‌ ଆତଙ୍କବାଦୀ ଖୋଲାଖୋଲି ଆକ୍ରମଣ କରିବା ସ୍ଥିତିରେ ନାହାନ୍ତି। ଏହା ଆତଙ୍କବାଦ ବିରୋଧରେ ଏକ ବଡ଼ ବିଜୟ ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି। ତେବେ ଆଇଏସ୍‌ ବିରୋଧରେ ବିଶ୍ବବ୍ୟାପୀ ଚାଲିଥିବା ଲଢ଼େଇ ଜାରି ରହିବ ଏବଂ ଅନ୍‌ଲାଇନ୍‌ରେ ସମର୍ଥନ ଯେଗାଡ଼ କରୁଥିବା ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯିବ ବୋଲି ଟ୍ରମ୍ପ୍‌ ଚେତବନୀ ଦେଇଛନ୍ତି। ଇରାକ୍‌ ଏବଂ ସିରିୟା ସଂପୂର୍ଣ୍ଣ ଆଇଏସ୍‌ ମୁକ୍ତ ହୋଇଥିବାରୁ ଏବେ ସେଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର