କେରଳ କୋଭିଡ୍-୧୯ କ୍ୱାରେଣ୍ଟିନରୁ ଚମ୍ପଟ ମାରି କାନପୁର ଚାଲିଗଲେ ଆଇଏଏସ୍ ଅଧିକାରୀ

ତିରୁବନନ୍ତପୁରମ୍: ଏ ମାସ ପ୍ରାରମ୍ଭରେ ଇଂଲାଣ୍ଡରୁ ଫେରିବା ପରେ କୋଲ୍ଲାମ ଠାରେ ଏକାନ୍ତବାସ କରୁଥିବା ଜଣେ ଯୁବ ଆଇଏଏସ୍ ଅଧିକାରୀ କ୍ୱାରେଣ୍ଟିନରୁ ଚମ୍ପଟ୍ ମାରି ଉତ୍ତର ପ୍ରଦେଶର କାନପୁରକୁ ଚାଲିଯାଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଏ କଥା କେରଳ ସରକାରଙ୍କର ମୁଖପାତ୍ର କହିଛନ୍ତି ।

ମୁଖପାତ୍ରଜଣକ କହିଛନ୍ତି ଯେ ଉକ୍ତ ଅଧିକାରୀଙ୍କ ଆଚରଣ ଜଣେ ଆଇଏଏସ୍ ଅଧିକାରୀଙ୍କ କ୍ଷେତ୍ରରେ ସାଙ୍ଘାତିକ ଦାୟିତ୍ୱହୀନତା । କେରଳ ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି । ଏହା କେନ୍ଦ୍ରୀୟ କର୍ମଚାରୀ ମନ୍ତ୍ରାଳୟଙ୍କୁ ଅବଗତ କରାଯିବ । ମାର୍ଚ ୨୧ ତାରିଖ ଦିନ କାନପୁର ଚାଲିଯାଇଥିବା ଉକ୍ତ ଆଇଏଏସ୍ ଅଧିକାରୀଜଣକ ହେଉଛନ୍ତି କୋଲ୍ଲାମର ଉପଜିଲ୍ଲାପାଳ ଅନୁପମ ମିଶ୍ର । ଚଳିତ ମାସ ପ୍ରଥମ ସପ୍ତାହରେ ସେ ଇଂଲାଣ୍ଡରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଖସିଯାଇଥିବା କଥା ଜଣାପଡ଼ିବା ପରେ କୋଲ୍ଲାମ ପ୍ରଶାସନ ତାଙ୍କ ଡ୍ରାଇଭର୍, ବ୍ୟକ୍ତିଗତ ନିରାପତ୍ତା ରକ୍ଷୀ ଏବଂ ସଚିବଙ୍କୁ ଏକାନ୍ତବାସରେ ରଖିଛି ।

Image Source: India Today

କ୍ୱାରେଣ୍ଟିନ୍ ନିୟମକୁ କଡ଼ାକଡ଼ି ପାଳନ କରାଉଥିବା କେରଳ ସରକାରଙ୍କୁ ଉକ୍ତ ଆଇଏଏସ୍ ଅଧିକାରୀଙ୍କ ଖସିଯିବା ଘଟଣା ବଡ଼ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି ।

ମୁଖପାତ୍ରଜଣକ ପୁଣି କହିଛନ୍ତି: ଜଣେ କପ୍ତାନ୍ ଏ ଭଳି ସ୍ଥିତିରେ ତାଙ୍କ ଜାହାଜକୁ ଛାଡ଼ି ନ ଯିବା କଥା । ସେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ସେ କାନପୁର ଯାଇଥିବା କଥା ସେ କରିଥିବା ଫୋନ୍ କଲରୁ ଜଣାପଡ଼ିଛି ।

କୋଲାମ ଜିଲ୍ଲାପାଳ ଅବଦୁଲ୍ ନାସେର୍ କହିଛନ୍ତି ଯେ ସେ ଏ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରାଇଛନ୍ତି । ମିଶ୍ରଙ୍କ ଯିବା କଥା ତାଙ୍କୁ ଜଣାଯାଇ ନ ଥିଲା । ଦୁଇ ଦିନ ପରେ ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ତାଙ୍କ ଘରକୁ ଯିବା ପରେ ଏ କଥା ଜଣାପଡ଼ିଥିଲା ।

 

ସମ୍ବନ୍ଧିତ ଖବର