୨ ମାସ ହେବ ବାପାଙ୍କ ଶବକୁ ସାଇତି ଚିକିତ୍ସା କରୁଛନ୍ତି

ଭୋପାଳ: ମଧ୍ୟପ୍ରଦେଶର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତାଙ୍କ ବାପାଙ୍କ ଶବକୁ ୨ ମାସ ହେବ ସାଇତି ଚିକିତ୍ସା କରୁଛନ୍ତି। ଆଇପିଏସ୍‌ ଅଧିକାରୀ ରାଜେନ୍ଦ୍ର ମିଶ୍ରଙ୍କ ବାପାଙ୍କୁ ଡାକ୍ତରମାନେ ଗତ ଜାନୁଆରି ୧୪ରେ ମୃତ ଘୋଷଣା କରିଥିଲେ। କିନ୍ତୁ ରାଜେନ୍ଦ୍ର ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। ଡାକ୍ତରୀ ଚିକିତ୍ସାରେ ଏଲୋପାଥିକୁ ଶେଷ ଶବ୍ଦ କୁହାଯାଇପାରିବନି ବୋଲି ‌ସେ କହିଛନ୍ତି। ‌ସେଥିପାଇଁ ସେ ତାଙ୍କ ବାପାଙ୍କୁ ଆୟୁର୍ବେଦ ଚିକିତ୍ସା କରାଉଛନ୍ତି। ରା‌ଜେନ୍ଦ୍ରଙ୍କ ମା’, ଭାଇ ଭଉଣୀ ଏବଂ ଜଣେ ଆୟୁର୍ବେଦ ଚିକିତ୍ସକଙ୍କୁ ଛାଡ଼ିଦେଲେ ତାଙ୍କ ନିକଟକୁ ଅନ୍ୟ କାହାକୁ ଛଡ଼ାଯାଉନି। ରାଜ୍ୟ ମାନବିକ ଅଧିକାର କମିସନ୍‌ ପକ୍ଷରୁ ରାଜେନ୍ଦ୍ରଙ୍କ ଘରକୁ ଏକ ଡାକ୍ତରୀଦଳ ପଠାଇବାର ଉଦ୍ୟମ ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଛି। ରାଜେନ୍ଦ୍ରଙ୍କ କହିବା‌ ଅନୁଯାୟୀ ତା‌ଙ୍କ ବାପା ୬ ଦଶନ୍ଧୀରୁ ଊର୍ଦ୍ଧ୍ବ ସମୟ ଧରି ଯୋଗ କରୁଥିଲେ ଏବଂ ଏବେ ସେ ଯୋଗ ନିଦ୍ରାରେ ଅଛନ୍ତି। ରାଜେନ୍ଦ୍ର କହିଛନ୍ତି ତାଙ୍କ ବାପାଙ୍କୁ ଚିକିତ୍ସା କରିବା ତାଙ୍କ ମୌଳିକ ଅଧିକାର। ‌ସେ କୌଣସି ଅପରାଧ କି ଦୁର୍ନୀତି କରିନାହାନ୍ତି। ତା’ ଛଡ଼ା ବାପା ଯଦି ୨ ମାସ ହେବ ମରିଥାନ୍ତେ ତେବେ ତାଙ୍କ ଶରୀର ଏତେ‌ବେଳକୁ ନଷ୍ଟ ହୋଇ ଯାଇଥାନ୍ତା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ବ୍ୟାପାରରେ ଅନ୍ୟ କେହି ହସ୍ତକ୍ଷେପ ନକରିବାକୁ ସେ କହିଛନ୍ତି। ରାଜେନ୍ଦ୍ରଙ୍କ ବରିଷ୍ଠତା ଦୃଷ୍ଟିରୁ ସରକାର ଏବଂ ରାଜ୍ୟ ପୁଲିସ ମଧ୍ୟ ଏହି ପ୍ରସଙ୍ଗକୁ ଅତି ସତର୍କତାର ସହ ନେଇଛନ୍ତି। ଅନ୍ୟପକ୍ଷେ ରାଜେନ୍ଦ୍ରଙ୍କ ପତ୍ନୀ ଶଶିମଣି ଉକ୍ତ ମାମଲାରେ ବାହାର ଲୋକଙ୍କ ହସ୍ତ‌କ୍ଷେପକୁ ବିରୋଧ କରି ମଧ୍ୟପ୍ରଦେଶ ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର