କୋଭିଡ-୧୯ ରୋଗୀଙ୍କ ମାଗଣାରେ ଚିକିତ୍ସା ପାଇଁ ଘରୋଇ ଡାକ୍ତରଖାନା ଚିହ୍ନଟ କରନ୍ତୁ କେନ୍ଦ୍ର ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମିତ ରୋଗୀଙ୍କୁ ମାଗଣାରେ କିମ୍ବା ନାମମାତ୍ର ମୂଲ୍ୟରେ ଚିକିତ୍ସା କରାଯିବା ପାଇଁ ଘରୋଇ ଡାକ୍ତରଖାନା ଚିହ୍ନଟ କରାଯାଉ | ଏ ନେଇ ଆଜି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ,  ମାଗଣାରେ କିମ୍ବା ନାମମାତ୍ର ମୂଲ୍ୟରେ ସରକାରୀ ଜମି ଦିଆଯାଇଥିବା  ଘରୋଇ ଡାକ୍ତରଖାନା କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବା ଉଚିତ୍। ସରକାର ସେହି ସମସ୍ତ ଡାକ୍ତରଖାନାକୁ ଖୋଜି ବାହାର କରନ୍ତୁ  ବୋଲି ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଏବଂ ହୃଷୀକେଶ ରୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି।

“ସେମାନଙ୍କୁ ମାଗଣାରେ କିମ୍ବା ଅତି ନାମମାତ୍ର ଦରରେ ଜମି ଦିଆଯାଇଛି। ଏହି ଚାରିଟେବୁଲ ହସ୍ପିଟାଲଗୁଡିକ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରିବା ଉଚିତ” ବୋଲି କେନ୍ଦ୍ରକୁ କହିବା ସହ ଖଣ୍ଡପୀଠ ଏକ ସପ୍ତାହ ପରେ ଏହି ମାମଲା ଉପରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି  | କେନ୍ଦ୍ର ସରକାରଙ୍କୁ ପକ୍ଷ ରଖୁଥିବା  ମେହେଟ୍ଟା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଖୁବ ଶୀଘ୍ର ସେ ଜବାବ ଦାଖଲ କରିବେ ।

Identify private hospitals to treat COVID-19 patients for free or ...
Deccan Herald

ସୂଚନା ମୁତାବକ, ଦେଶର ଘରୋଇ ଡାକ୍ତରଖାନାଗୁଡ଼ିକରେ କୋଭିଡ-୧୯ର ଚିକିତ୍ସା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ପାଇଁ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହା ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ଏପ୍ରିଲ ୩୦ରେ କେନ୍ଦ୍ରକୁ ନୋଟିସ ଜାରି କରିଥିଲେ ଏବଂ ଆଡଭୋକେଟ ସଚିନ ଜୈନଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନ ଉପରେ କେନ୍ଦ୍ରର ଜବାବ ମାଗିଥିଲେ।

ଏହି ଆବେଦନରେ କୁହାଯାଇଥିଲା ଯେ, ସରକାର ରିହାତି ମୂଲ୍ୟରେ ଜମି ବଣ୍ଟନ କରାଯାଇଥିବା କିମ୍ବା ଚାରିଟେବୁଲ ଅନୁଷ୍ଠାନ ବର୍ଗରେ ଚାଲୁଥିବା ବେସରକାରୀ ଡାକ୍ତରଖାନାଗୁଡ଼ିକୁ ବର୍ତ୍ତମାନ ପାଇଁ କୋଭିଡ-୧୯ ରୋଗୀଙ୍କୁ ବିନା ଲାଭରେ ଚିକିତ୍ସା କରିବା ଲାଗି ନିର୍ଦ୍ଦେଶ ଦେବା ଦରକାର | ଆବେଦନ ଉପରେ କୋର୍ଟ ତୁରନ୍ତ ବିଚାର କରନ୍ତୁ ବୋଲି ଦାବି କରାଯିବା ସହ ଅନେକ ଘରୋଇ ଡାକ୍ତରଖାନା କୋଭିଡ-୧୯ରେ ପୀଡିତ ରୋଗୀଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। କୌଣସି ସରକାରୀ ଯୋଜନାର ହିତାଧିକାରୀ ନଥିବା ଗରିବ ଏବଂ ଅସୁରକ୍ଷିତ ବ୍ୟକ୍ତିଙ୍କ ପାଇଁ ଘରୋଇ ଡାକ୍ତରଖାନାରେ କୋଭିଡ-୧୯ ଚିକିତ୍ସାର ଖର୍ଚ୍ଚ କେନ୍ଦ୍ର ବହନ କରୁ ବୋଲି ଏହି ଆବେଦନରେ କୁହାଯାଇଥିଲା |

ସମ୍ବନ୍ଧିତ ଖବର