ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ , ଆଇଡି ବିସ୍ଫୋରଣରେ ୯ ଯବାନ ଆହତ, ୩ ଗୁରୁତର

ଶ୍ରୀନଗର : ଗତ ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଦି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଆଜି ପୁଲୱାମାର ଅରିହଲ ଅଂଚଳରେ ଯାଉଥିବା ସେନାର କେତେକ ଗାଡ଼ି ଯାଉଥିବାବେଳେ ତାହାକୁ ଟାର୍ଗେଟ କରି ଏକ ଆଇଇଡି ବିସ୍ଫୋରଣ କରାଯାଇଛି ।

ଏହି ଘଟଣାରେ ରାଷ୍ଟ୍ରୀୟ ରାଇଫଲ୍ସର ୯ ଜଣ ଯବାନ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଯବାନ ଗୁରୁତର ରହିଥିବା ଜଣାଯାଇଛି ।  ଘଟଣାସ୍ଥଳରେ ଏନକାଉଣ୍ଟର ଜାରି ରହିଛି । ଆଜି ମଧ୍ୟ କାଶ୍ମୀରର ଅନନ୍ତନାଗଠାରେ ଚାଲିଥିବା ଆଉ ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେନାର ସ୍ବତନ୍ତ୍ର ପାରା କମାଣ୍ଡୋମାନେ ଏହି ଆତଙ୍କବାଦୀକୁ ଗୁଳିକରି ମାରିଦେବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଛି । ଗତ ଫେବ୍ରୁଆରୀ ୧୪ରେ ପୁଲୱାମାରେ ସିଆରପିଏଫ ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହାକୁ ନେଇ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସମ୍ବନ୍ଧିତ ଖବର