ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୨ ବିଏସଏଫ ଯବାନ ସହିଦ

ରାୟପୁର : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲେସିଭ ଡିଭାଇସ) ବିସ୍ଫୋରଣ ଫଳରେ ୨ ଜଣ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣ ପରେ ମାଓବାଦୀ ଓ ସୁରକ୍ଷାବାହୀନୀ ମଧ୍ୟରେ ଗୁଳିବିନିମୟ ଅବ୍ୟାହତ ରହିଛି । ଏ ସଂପର୍କରେ ସୂଚନାଦେଇ ଛତିଶଗଡ଼ର ଡିଆଇଜି ( ନକ୍ସଲ ବିରୋଧୀ ଅଭିଯାନ) ପି.ସୁନ୍ଦର ରାଜ କହିଛନ୍ତି ଯେ କାଙ୍କେର ଜିଲ୍ଲାରେ ଥିବା ଛୋଟେବେଡିଆ ଥାନା ଅଧିନରେ ଥିବା ମାରବେଡା କ୍ୟାମ୍ପଠାରୁ ୭ କିଲୋମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା । ଯବାନ ମାନେ ଜଙ୍ଗଲରେ କମ୍ବିଂ ଅପରେସନ କରି ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ହିଁ ବିଏସଏଫ ୧୨୧ ବାଟାଲିୟନର ଦୁଇ ଜବାନ ସନ୍ତୋଷ ଲକ୍ଷ୍ମଣ ଓ ବିଜୟ ନନ୍ଦ ନାୟକ ସହିଦ ହୋଇଯାଇଥିଲେ ।  ଏହ।ସହ ଆଉ କିଛି ଯବାନ ଆହତ ହୋଇଥିବା ଖବର ମିଳିଛି । ବିସ୍ଫୋରଣ ପରେ ଜଙ୍ଗଲରେ ଲୁଚିରହିଥିବା ମାଓବାଦୀଙ୍କ ତରଫରୁ ଯବାନମାନଙ୍କ ଉପରୁ ଗୁଳିମାଡ଼ କରାଯାଇଥିଲା । ସୁରକ୍ଷାବାହିନୀ ତାହାର ତୁରନ୍ତ ଜବାବ ଦେଇଥିଲା । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଗୁଳିବିନିୟ ଜାରି ରହିଛି ।

ସମ୍ବନ୍ଧିତ ଖବର