ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଗତ ୧୨ ତାରିଖ ଶନିବାର ଦିନ ମତଦାନ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଯେଉଁ ଏକ୍ଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି, ସେଥିରେ କୌଣସି ଦଳ ସ୍ପଷ୍ଟ ବହୁମତ ପାଇପାରିବେ ନାହିଁ ଏବଂ ରାଜ୍ୟରେ ଏକ ଝୁଲା ବିଧାନସଭା ଗଠିତ ହେବ ବୋଲି ପୂର୍ବାନୁମାନ କରାଯାଇଛି। କିନ୍ତୁ, ବିଜେପି ଓ କଂଗ୍ରେସ ଉଭୟେ ଏକ୍ଜିଟ୍ ପୋଲ୍ ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ଦାବି କରୁଛନ୍ତି ଯେ ସେମାନେ ବହୁମତ ପାଇବେ ଓ ସରକାର ଗଢ଼ିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି ବିଜେପି ରାଜ୍ୟରେ ସରକାର ଗଢ଼େ ତେବେ ରାଜ୍ୟ ବିଜେପି ସଭାପତି ୟେଦୁରାପ୍ପା ହେବେ ମୁଖ୍ୟମନ୍ତ୍ରୀ ଓ ଏକଦା ସୁଷମା ସ୍ୱରାଜଙ୍କ ଡ୍ରାଇଭର ଥିବା ଶ୍ରୀରାମୁଲ ହେବେ ଉପ ମୁଖ୍ୟମନ୍ତ୍ରୀ। କାରଣ, ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଦଳୀୟ ପ୍ରାର୍ଥୀ ଭାବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପୂର୍ବତନ ଡ୍ରାଇଭର ଶ୍ରୀରାମୁଲୁ। ମୁଖ୍ୟମନ୍ତ୍ରୀ ସଦ୍ଧରମେୟା ଚାମୁଣ୍ଡେଶ୍ୱରୀ ଓ ବାଦାମୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତେବେ ବାଦାମୀରେ ସିଦ୍ଧରମେୟାଙ୍କୁ ବିଜେପି ପ୍ରାର୍ଥୀ ଶ୍ରୀରାମୁଲୁ କଡ଼ା ଟକ୍କର ଦେଉଛନ୍ତି। ଶ୍ରୀରାମୁଲୁ ଯଦି ନିର୍ବାଚନ ଜିତନ୍ତି ଓ ଦଳ ରାଜ୍ୟରେ ସରକାର ଗଢ଼େ ତେବେ ସେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ ବରିଷ୍ଠ ନେତାମାନେ ତାଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମଧ୍ୟ ଦେଇ ସାରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏକଦା ସୁଷମା ସ୍ୱରାଜଙ୍କ ଡ୍ରାଇଭର ଥିବା ଶ୍ରୀରାମୁଲୁ ଏବେ ଖଣି ମାଫିଆ ରେଡ୍ଡି ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ। କର୍ଣ୍ଣାଟକର ଜଣେ ଧନୀ ପ୍ରାର୍ଥୀ ଭାବେ ମଧ୍ୟ ସେ ବେଶ ପରିଚିତି ଲାଭ କରିପାରିଛନ୍ତି। ଏହାଛଡ଼ା ରାଜ୍ୟରେ ଦଳିତ ଓ ଆଦିବାସୀଙ୍କର ବଡ଼ ନେତା ହେଉଛନ୍ତି ଶ୍ରୀରାମୁଲୁ। ରାଜ୍ୟ ସଭାପତି ୟେଦୁରପ୍ପାଙ୍କ ପରେ ଶ୍ରୀରାମୁଲୁ ହେଉଛନ୍ତି ବିଜେପିର ଦ୍ୱିତୀୟ ସବୁଠୁ ବଡ଼ ଚେହେରା। ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପରି ଶ୍ରୀରାମୁଲୁ ମଧ୍ୟ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ହେଲା ବାଦାମୀ ଓ ଅନ୍ୟଟି ମୋଲକାମ।