ମସଜିଦରେ ମୁସଲିମ ମହିଳାଙ୍କ ପ୍ରବେଶ ନେଇ ଇସ୍ଲାମୀୟ ଧର୍ମଗ୍ରନ୍ଥରେ କୌଣସି କଟକଣା ନାହିଁ : ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ : ଇସ୍ଲାମିକ ଧର୍ମଗ୍ରନ୍ଥଗୁଡ଼ିକ ମହିଳାମାନଙ୍କୁ ମସଜିଦରେ ପ୍ରବେଶକୁ ବାରଣ କରିନାହାନ୍ତି । ଏଣୁ ମସଜିଦକୁ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଯେଉଁ ଫତଓ୍ଵା ଜାରି କରାଯାଉଛି ତାହାକୁ ଗୁରୁତ୍ୱ ନଦେବାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ କରି କୁହାଯାଇଛି ।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପୁରୁଷମାନଙ୍କ ପରି ମୁସଲିମ ମହିଳାମାନେ ମସଜିଦରେ ଯାଇ ପ୍ରାର୍ଥନା କରିପାରିବେ । କିନ୍ତୁ ମହିଳାମାନଙ୍କ ପାଇଁ ମସଜିଦରେ ଶୁକ୍ରବାର ନମାଜ ପଢିବା ବାଧ୍ୟତାମୂଳକ ନୁହେଁ ।

ମସଜିଦରେ ମହିଳାଙ୍କ ପ୍ରବେଶଉପରେ ଲାଗିଥିବା ନିଷେଧାଜ୍ଞାକୁ ଅସମ୍ବିଧାନିକ ଓ ବେଆଇନ ଘୋଷଣା କରିବାକୁ ମହାରାଷ୍ଟ୍ରର ଏକ ଦମ୍ପତ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ମହିଳାମାନଙ୍କ ମୌଳିକ ଅଧିକାରର ହନନ ବୋଲି ସେମାନେ ଅଭିଯୋଗ କରିଥିଲେ ।
କେରଳର ସାବରିମାଲାରେ ମହିଳାଙ୍କ ପ୍ରବେଶ କଟକଣାକୁ ସୁପ୍ରିମକୋର୍ଟ ପୂର୍ବରୁ ହିଁ ବେଆଇନ ଘୋଷଣା କରିସାରିଛନ୍ତି । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ବିବାଦ ଜାରି ରହିଛି । ଏହାର ପୁନର୍ବିଚାର ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧିନ ରହିଛି ।

ସମ୍ବନ୍ଧିତ ଖବର