ପୂର୍ବ ଆଇଆଇଟି ଛାତ୍ର ଗଢ଼ିଲେ ନୂଆ ରାଜନୈତିକ ଦଳ

ନୂଆଦିଲ୍ଲୀ: ଦେଶବ୍ୟାପୀ ଅନୁସୂଚିତ ଜାତି/ଜନଜାତି ଓ ଦଳିତ ବର୍ଗଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସଂଗ୍ରାମ ପାଇଁ ୫୦ ଜଣ ପୂର୍ବ ଆଇଆଇଟି ଛାତ୍ର ସେମାନଙ୍କ ଚାକିରି ଛାଡ଼ି ରାଜନୀତିକୁ ଓହ୍ଲାଇଛନ୍ତି। ‘ବହୁଜନ ଆଜାଦ ପାର୍ଟି’ ନାମକ ରାଜନୈତିକ ଦଳ ଦ୍ୱାରା ସେମାନେ ସରକାରଙ୍କ ବିରୋଧରେ ସଂଗ୍ରାମ କରିବେ ବୋଲି ଘୋଷଣା କରିଛନ୍ତି। ଏନେଇ ସେମାନେ ନିର୍ବାଚନ କମିସନଙ୍କ ନିକଟରେ ମଧ୍ୟ ଆବେଦନ କରିସାରିଛନ୍ତି ଏବଂ କମିସନଙ୍କ ସ୍ୱୀକୃତିକୁ ଅପେକ୍ଷା କରିଛନ୍ତି। ବହୁଜନ ଆଜାଦ୍‌ ପାର୍ଟି ତ୍ରୁଣମୂଳ ସ୍ତରରୁ କାର୍ଯ୍ୟକରିବା ମଧ୍ୟ ଆରମ୍ଭ କରିସାରିଛି ବୋଲି ୨୦୧୫ରେ ଦିଲ୍ଲୀ ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଥିବା ନବୀନ କୁମାର କହିଛନ୍ତି। ତେବେ ବିଶେଷକରି ଅନୁସୂଚିତ ଜାତି/ଜନଜାତି ବର୍ଗର ଯୁବଗୋଷ୍ଠୀଙ୍କୁ ନେଇ ଗଠିତ ଏହି ଦଳ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଏସ୍‌ସିଏସ୍‌ଟି ବର୍ଗଙ୍କୁ ସେମାନଙ୍କର ସଠିକ୍‌ ଅଧିକାର ଦିଆଯାଉନଥିବା ଅଭିଯୋଗ କରିଛି। ସେମାନେ ଲଗାଇଥିବା ପୋଷ୍ଟରରେ ବି.ଆର. ଆମ୍ବେଦକର, ସୁଭାଷ ଚନ୍ଦ୍ର ବୋଷ, ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ.ଅବଦୁଲ କଲାମଙ୍କର ଫଟୋ ରହିଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନରେ ଦଳିତ ଭୋଟ ହାତେଇବା ପାଇଁ ଏହା ଏକ ବାହାନା ବୋଲି ଚର୍ଚ୍ଚା ହେଉଛି। ସେମାନେ ଏତେଶୀଘ୍ର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ନଥିବା ନବୀନ କୁମାର କହିଛନ୍ତି। ୨୦୨୦ ବିହାର ବିଧାନସଭା ନିର୍ବାଚନରୁ ଦଳ ଅଭିଯାନ ଆରମ୍ଭ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର