ସୁପ୍ରିମକୋର୍ଟରେ ବେଆଇନ ଖଣି ଖନନ ମାମଲା : ବକେୟା ଦାଖଲ ପାଇଁ ଆବେଦକାରୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ବେଆଇନ ଖଣି ଖନନ ମାମଲାର ଶୁଣାଣି ହୋଇଥିଲା। ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ବେଆଇନ ଖଣି ଖନନ ମାମଲା ଜରିମାନା ପ୍ରସଙ୍ଗ ଅନ୍ତର୍ଗତ ବନ୍ଦ ହୋଇଥିବା ଖଣି ଗୁଡ଼ିକୁ ଖୋଲିବାପାଇଁ ଅନୁମତି ଦେବା ପ୍ରସଙ୍ଗରେ ଦାଖଲ ହୋଇଥିବା ୪ ଜଣ ଆବେଦନକାରୀଙ୍କ ଆବେଦନର ଶୁଣାଣି କରିଥିଲେ। ୪ ଜଣ ଆବେଦନକାରୀ କୋର୍ଟରେ କହିଥିଲେ, ଖଣି ଲିଜ୍‌ଧାରୀମାନେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅର୍ଥରାଶି ପୈଠ କରି ସାରଥିବାରୁ ସେମାନଙ୍କୁ ଖଣି ଚାଲୁ କରିବାପାଇଁ ଅନୁମତି ଦିଆଯାଉ। ଓଡ଼ିଶା ମାଇନିଂ କର୍ପୋରେସନ୍‌ ମାମଲାରେ ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ କହିଥିଲେ ଯେ ଓଡ଼ିଶା ଖଣି ପରିବେଶ ମଂଜୁରୀ ଉଲ୍ଲଂଘନ ମାମଲାରେ ଯେଉଁ ଡିମାଣ୍ଡ୍‌ ନୋଟିସ୍‌ ପଠାଯାଇଥିଲା ତାହା ପୈଠ କରିଛନ୍ତି କିନ୍ତୁ ମାଇନିଂ ପ୍ଲାନ୍‌ ଅନ୍ତର୍ଗତ ଯେଉଁ ଜରିମାନା ଦାଖଲ କରାଯିବାର ଥିଲା ତାହା ପୈଠ ହୋଇନାହିଁ। ପରବର୍ତ୍ତୀ ଶୁଣାଣିରେ କେବେ ଅର୍ଥରାଶି ପୈଠ କରାଯିବ ସେନେଇ ଅବଗତ କରାଯିବ ବୋଲି ଓଡ଼ିଶା ମାଇନିଂ କର୍ପୋରେସନ୍‌ର ଓକିଲ ଖଣ୍ଡପୀଠଙ୍କୁ କହିଥିଲେ। ଆବେଦନକାରୀ ବିରାଟ ଚନ୍ଦ୍ର ଡାଗ୍ରାଙ୍କ ପକ୍ଷରୁ ଖଣ୍ଡପୀଠଙ୍କୁ କୁହାଯାଇଥିଲା ଯେ ସେ ଗୋଟିଏ ଲିଜ୍‌ର ଅର୍ଥରାଶି ପୈଠ କରି ସାରିଛନ୍ତି, ତେଣୁ ତାଙ୍କ ଖଣି ଖୋଲିବାକୁ ଅନୁମତି ଦିଆଯାଉ। ଅନ୍ୟ ଏକ ଲିଜ୍‌ର ବକେୟା ସେ ପୈଠ କରିନଥିବାରୁ ତାଙ୍କୁ ଦୁଇ ସପ୍ତାହ ସମୟ ଦିଆଯାଉ ବୋଲି କୁହାଯାଇଥିଲା। ଅନ୍ୟ ଜଣେ ଆବେଦନକାରୀ ଏମ୍‌ଏସ କର୍ପ ରିସୋର୍ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଜରିମାନା ସମ୍ପର୍କିତ ସମସ୍ତ ଅର୍ଥରାଶି ଦାଖଲ କରାଯାଇଥିବା ଖଣ୍ଡପୀଠଙ୍କୁ ଅବଗତ କରି ଖଣି ଖୋଲିବା ଅନୁମତି ପ୍ରଦାନ କରାଯାଉ ବୋଲି ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ଖଣ୍ଡପୀଠ ଏଥିରେ ସହମତି ପ୍ରକାଶ କରିଥିଲେ। ଗୀତାରାଣୀ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଅର୍ଥରାଶି ପୈଠ ପାଇଁ ସମୟ ପ୍ରଦାନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ।

ବେଆଇନ ଖଣି ଖନନ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଜରିମାନା ବାବଦରେ ଆଦାୟ କରିଥିବା ୧୨ ହଜାର ୯୦୦ କୋଟି ଟଙ୍କାକୁ ସେହି ଅଞ୍ଚଳରେ ଆଦିବାସୀମାନଙ୍କ ଉନ୍ନତି ଓ କେଉଁସବୁ ପ୍ରକଳ୍ପ ପାଇଁ ବ୍ୟବହାର କରାଯାଇପାରିବ ସେନେଇ ଖଣ୍ଡପୀଠ ସେପ୍ଟେମ୍ବର ୬ରେ ବିସ୍ତତ ଶୁଣାଣି କରି ନିଷ୍ପତ୍ତି ନେବେ ବୋଲି ଆଜି ଶୁଣାଣି ସମୟରେ କହିଥିଲେ।

ସମ୍ବନ୍ଧିତ ଖବର