ବେଆଇନ ଖଣି ଖନନ ଜରିମାନା : ଆଦାୟ ଟଙ୍କା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ପାଇଁ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ

ନୂଆଦିଲ୍ଲୀ : ବେଆଇନ ଖଣି ଖନନ ଅନ୍ତର୍ଗତ ଜରିମାନା ବାବଦରେ ଆଦାୟ କରାଯାଇଥିବା ୧୩,୦୯୭ କୋଟି ଟଙ୍କା ଖଣି ଖନନ ପ୍ରଭାବିତ ଆଦିବାସୀ ଅଞ୍ଚଳରେ ରାଜ୍ୟ ସରକାର କିଭଳି ତଥା କେଉଁ ସବୁ ଅଞ୍ଚଳରେ ଖର୍ଚ୍ଚ କରିବେ ସେନେଇ ଖଣି ଲିଜ୍‌ଧାରୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏକାଧିକ ପ୍ରସ୍ତାବ ଦିଆଯାଇଛି। ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର, ବିଚାରପତି ଏସ୍‌ ଅବଦୁଲ୍‌ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଜରିମାନା ବାବଦରେ ଖଣି ଲିଜ୍‌ଧାରୀଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ଆଦିବାସୀ ଅଞ୍ଚଳରେ କିପରି ବିନିଯୋଗ ହୋଇପାରିବ ସେନେଇ ଶୁଣାଣି କରିଥିଲେ।

ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ମିନେରାଲ୍‌ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ୍‌ କର୍ପୋରେସନ୍‌ ଅନ୍ତର୍ଗତ ଆଡ୍‌ହକ୍‌ କାମ୍ପା ପାଣ୍ଠିରେ ୮୬୯.୪୨ କୋଟି ଟଙ୍କା, ସ୍ୱେଚ୍ଛାକୃତ ଭାବେ ଲିଜ୍‌ଧାରୀ ସୁପ୍ରିମକୋର୍ଟଙ୍କ ୨୦୧୭ ଅଗଷ୍ଟ ୨ ରାୟ ପରେ ୨୩୭.୦୫ କୋଟି ଟଙ୍କା ଜମା କରିଥିବା କୁହାଯାଇଥିଲା। ସେହିଭଳି ବେଆଇନ ଖଣି ଖନନ ଜରିମାନା ବାବଦରେ ୧୨,୮୮୪.୦୯୫ କୋଟି ଟଙ୍କା ସ୍ପେସାଲ୍‌ ପର୍ପଜ୍‌ ଭେଇକଲ୍‌ ପାଣ୍ଠିରେ ଥିବା ନେଇ ୨୦୧୮ ଜୁଲାଇ ୧୯ରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଅତିରିକ୍ତ ସତ୍ୟପାଠରେ ଅବଗତ କରାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଶୁଣାଣି ସମୟରେ କୁହାଯାଇଥିଲା। ଏହି ଅର୍ଥ ରାଶିରୁ ରାଜ୍ୟ ସରକାର ଖଣି ପ୍ରଭାବିତ ଆଦିବାସୀ ଅଞ୍ଚଳରେ ପକ୍କାଘର ନିର୍ମାଣ ପାଇଁ ୩୩୦.୫୭ କୋଟି ଟଙ୍କା, ପାନୀୟଜଳ ପାଇଁ ୧୦୨.୪୫ କୋଟି, ଫାର୍ମ ଫରେଷ୍ଟ୍‍ ସୃଷ୍ଟି ପାଇଁ ୪୪.୫୭ କୋଟି ଟଙ୍କା ତଥା ଦକ୍ଷତା ବିକାଶ ପାଇଁ ୦.୩୯ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଖଣି ଲିଜ୍‌ଧାରୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଦୁଇଜଣ ବରିଷ୍ଠ ଓକିଲ ଅଶୋକ କୁମାର ପରିଜା ଓ ଗୋପାଳ ସୁବ୍ରମଣ୍ୟମ୍‌ ଜରିମାନା ବାବଦରେ ଆଦାୟ ହୋଇଥିବା ଅର୍ଥରାଶିକୁ ଠିକ୍‌ ଉପାୟରେ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦେଇଥିଲେ। ଅର୍ଥରାଶିକୁ ଓଡ଼ିଶାର ୩ଟି ଜିଲ୍ଲା ମୟୂରଭଂଜ, କେଉଁଝର ଓ ସୁନ୍ଦରଗଡ଼ର ଖଣି ପ୍ରଭାବିତ ଜିଲ୍ଲାରେ ବିନିଯୋଗ ପାଇଁ ଦୁଇଜଣ ଆଇନଜୀବୀ କୋର୍ଟଙ୍କୁ କହିଥିଲେ।

ଏହାପରେ ଓଡ଼ିଶାର ଅନ୍ୟ ସବୁ ଜିଲ୍ଲାରେ ଅର୍ଥରାଶିକୁ ଖର୍ଚ୍ଚ କରାଯାଇ ପାରିବ ବୋଲି ଖଣି ଲିଜ୍‌ଧାରୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଦୁଇଜଣ ବରିଷ୍ଠ ଓକିଲ କୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ। ସ୍ୱତନ୍ତ୍ର କାର୍ଯ୍ୟ ଗୁଡ଼ିକର ତଦାରଖ ପାଇଁ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯିବା ପାଇଁ ଲିଜ୍‌ଧାରୀମାନଙ୍କ ଓକିଲଙ୍କ ପକ୍ଷରୁ କୋର୍ଟଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ କେ ପଟ୍ଟନାୟକ, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ କେ ପରିଚ୍ଛା ଓ ଅବସରପ୍ରାପ୍ତ ବିଚାରପତି ବି ଏନ୍‌ ମହାପାତ୍ରଙ୍କ ନାମ କମିଟି ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଖଣି ଲିଜ୍‌ଧାରୀମାନଙ୍କ ଦ୍ୱାରା ଯେଉଁସବୁ ପ୍ରସ୍ତାବ ସୁପ୍ରିମକୋର୍ଟରେ ଦିଆଯାଇଥିଲା, ସେସବୁକୁ ଏହି ମାମଲାର ଆବେଦନକାରୀ ଓକିଲ ପ୍ରଶାନ୍ତ ଭୂଷଣ ଓ ନ୍ୟାୟ ମିତ୍ର ଏଡିଏନ୍‌ ରାଓ ସମର୍ଥନ କରିଥିଲେ ଓ ସହମତି ପ୍ରକାଶ କରିଥିଲେ। ଖଣି ଲିଜ୍‌ଧାରୀମାନଙ୍କ ଏକାଧିକ ପରାମର୍ଶକୁ ସୁପ୍ରିମକୋର୍ଟ ରେକର୍ଡରେ ନେଇଥିଲେ। ରାଜ୍ୟ ସରକାରଙ୍କ ଓକିଲ କୀର୍ତ୍ତିରେଣୁ ମିଶ୍ର ଲିଜ୍‌ଧାରୀମାନଙ୍କର ବିଭିନ୍ନ ପରାମର୍ଶ ଓ ପ୍ରସ୍ତାବ ସମ୍ପର୍କରେ ୧୦ ଦିନ ଭିତରେ ବିଚାର କରି ମତାମତ ଜଣାଇବେ ବୋଲି ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଓକିଲ ସ୍ପଷ୍ଟ ଭାବେ ଖଣ୍ଡପୀଠଙ୍କୁ କହିଥିଲେ, ଏସ୍‌ପିଭି ଅନ୍ତର୍ଗତ ପାଣ୍ଠିର ସଦୁପଯୋଗ କରାଯାଉଛି ଏବଂ ଖଣି ଲିଜ୍‌ଧାରୀମାନଙ୍କ ଦ୍ୱାରା ଯେଉଁ ପରାମର୍ଶ ଦିଆଯାଉଛି ସେଥିରୁ ପାଖାପାଖି ୯୦ ପ୍ରତିଶତ ସରକାର କାର୍ଯ୍ୟକାରୀ କରୁଛନ୍ତି। ମାମଲାର ଶୁଣାଣି ୩ ସପ୍ତାହ ପରେ ହେବ। ଆଜି ଖଣ୍ଡପୀଠଙ୍କ ଦ୍ୱାରା ଆବେଦନକାରୀ ବିରାଟ ଚନ୍ଦ୍ର ଡାଗ୍ରାଙ୍କୁ ଖଣି ଖୋଳିବାକୁ ଅନୁମତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର